Latest Odisha News

‘ମୁଖ୍ୟମନ୍ତ୍ରୀଙ୍କ ସଭାକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଥିବା ଜଣାନାହିଁ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିବା କାର୍ଯ୍ୟକ୍ରମରେ ଟିଭି ସାମ୍ବାଦିକ ଓ ଫଟୋ ସାମ୍ବାଦିକଙ୍କୁ ବାରଣ କରାଯାଉଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଜାଣିନାହିଁ। ମଙ୍ଗଳବାର ବିଧାନସଭାରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏପରି ଏକ ଉତ୍ତର ଦେଇଛନ୍ତି। ଯେତେବେଳେ ବିଧାନସଭାରେ ଉମରକୋଟର ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରଶ୍ନ କରି ପଚାରିଥିଲେ କେଉଁ କାରଣ ପାଇଁ ଇଲେକ୍ଟ୍ରୋନିକ୍ସ ମିଡିଆର ସାମ୍ବାଦିକ ଏବଂ ଫଟୋ ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁମତି ଦିଆଯାଉନି।

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ଯୋଗ ଦେଇପାରିବେ ନାହିଁ ବୋଲି ତାଙ୍କ ବିଭାଗ ଏ ବାବଦରେ ଅବଗତ ନାହିଁ। ଏହାପରେ ସେ କହିଛନ୍ତି, ସାଧାରଣ ଭାବେ ସାମ୍ବାଦିକମାନଙ୍କୁ କାର୍ଯ୍ୟକ୍ରମର ଆୟୋଜକ ନିମନ୍ତ୍ରଣ କରିଥାନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କିନ୍ତୁ ଟିଭି ସାମ୍ବାଦିକ ଓ ଫଟୋ ସାମ୍ବାଦିକଙ୍କୁ କାର୍ଯ୍ୟକ୍ରମ ପରିସର ଭିତରକୁ ଛଡା ଯାଇନଥିଲା। ଆୟୋଜକ କହିଥିଲେ, ନଛାଡିବାକୁ ଉପରୁ ଅର୍ଡର ରହିଛି। ହେଲେ ଉପରୁ କିଏ ଏପରି ନିର୍ଦ୍ଦେଶ ଦେଇଛନ୍ତି ତାର ଉତର କର୍ତ୍ତୃପକ୍ଷ ଦେଇନଥିଲେ।

ସେହିପରି ଫେବ୍ରୁଆରି 21ରେ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସାମ୍ବାଦିକମାନଙ୍କୁ ପୁଲିସ ବାରିକେଡ୍ ଭାବେ ଦଉଡ଼ି ସାହାଯ୍ୟରେ ଅଟକାଉଥିବାର ଚିତ୍ର ସାମ୍ନାକୁ ଆସିଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି କରୋନା ପାଇଁ ଲାଗୁହୋଇଥିବା ଲକଡାଉନ ହଟିଥିଲେ ମଧ୍ୟ ଲୋକସେବା ଭବନ ଭିତରକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ବଳବତ୍ତର ରହିଛି।

Comments are closed.