ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଗୋଟିଏ ପରେ ଗୋଟିଏ ବିବାଦ ଉପୁଜୁଛି । ଅରୁଣାଚଳ ପ୍ରଦେଶର ଖେଳାଳିଙ୍କୁ ଭିଜା ନ ମିଳିବା ଯୋଗୁ ଭାରତର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଚୀନ ଯିବାକୁ ମନା କରି ଦେଇଥିଲେ । ସେହିପରି ଭାରତୀୟ ଖେଳାଳିଙ୍କୁ ଅଭ୍ୟାସ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଇ ନାହିଁ । ଜାକର୍ତା ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଆଥଲେଟ ସ୍ୱପ୍ନା ବର୍ମନ ଏକ ବିବାଦୀୟ ବୟାନ ଜାରୀ କରିଛନ୍ତି । ମହିଳା ହେପାଟଥଲନରେ ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଯୋଗୁ ପଦକ ହାତଛଡା ହେଲା ବୋଲି ପୋଷ୍ଟ କରିଥିଲେ । ଅବଶ୍ୟ ପରେ ସେ ଏହି ପୋଷ୍ଟ ଡିଲିଟ କରି ଦେଇଥିଲେ । ଗତ ସଂସ୍କରଣରେ ୫୩.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଥିବା ସ୍ୱପ୍ନା ଏଥର ୪୫.୧୩ ମିଟର ଦୂରତାକୁ ଥ୍ରୋ କରିଥିଲେ । ସେ ହେପାଟଥଲନରେ ୫୭୧୨ ପଂଏଟ ସହ ଚତୁର୍ଥ ସ୍ଥାନରେ ରହିଥିଲେ । ୪ ପଂଏଟ ପାଇଁ ସେ ବ୍ରୋଞ୍ଜ ପଦକ ହାସଲ କରିପାରି ନ ଥିଲେ ।
ଚୀନର ନାନାଲୀ ଝେଙ୍ଗ ସ୍ୱର୍ଣ୍ଣ, ଉଜବେକିସ୍ତାନର ଏକାତରେନା ଭୋରୋନୀନା ରୌପ୍ୟ ଏବଂ ଭାରତର ନନ୍ଦିନୀ ଅଗସାର ବ୍ରୋଞ୍ଜ ପଦକ ଜିତିଥିଲେ । ସେ କେଉଁ ଆଥଲେଟଙ୍କୁ ଉଦ୍ଦେଶ୍ୟ କରି ଏହି ବୟାନ ଦେଇଥିଲେ ତାହା ସ୍ପଷ୍ଟ ହୋଇପାରିନି । ସୂଚନାଯୋଗ୍ୟ, ମେରୁଦଣ୍ଡ ଆଘାତ ସମସ୍ୟା ଯୋଗୁ ସ୍ୱପ୍ନାଙ୍କ ପ୍ରଦର୍ଶନସ୍ତରରେ ଅବନତି ଘଟିଛି ।
Comments are closed.