Latest Odisha News

ଜେଲରୁ ବାହାରିବା ପରେ ଅର୍ଚ୍ଚନାଙ୍କ ଦମ୍ଭୋକ୍ତି: ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ, ସମସ୍ତଙ୍କର ପୋଲ୍ କୋର୍ଟରେ ଖୋଲିବି…

ଭୁବନେଶ୍ୱର: ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ । ମୁଁ ସମସ୍ତଙ୍କର ପୋଲ ଖୋଲିବି । ସବୁ କଥା କହିବି । ସବୁ ତଥ୍ୟ ପ୍ରମାଣ ଦେବି । ହେଲେ କୋର୍ଟଙ୍କ ପାଖରେ । ଜେଲରୁ ବାହାରିବା ପରେ ଆଜି ଏମିତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ।

ହନିଟ୍ରାପ ଏବଂ ବ୍ଲାକମେଲିଂ ଅଭିଯୋଗରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଦୀର୍ଘ ୧୪ ମାସ ପରେ ଆଜି ଜେଲରୁ ମୁକୁଳିଛନ୍ତି । ୭ ଦିନ ତଳେ ଇଡି ମାମଲାରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ଆଜି ଜେଲରୁ ବାହାରିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଚ୍ଚନା ନାଗ କହିଥିଲେ, ଜଣେ ଆଇନ ଛାତ୍ରୀ ଭାବେ ମୋର କୋର୍ଟଙ୍କ ଉପରେ ଭରସା ଅଛି । ଯେଉଁମାନେ ତାଙ୍କୁ ଫସାଇଛନ୍ତି ତାଙ୍କପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । କୋର୍ଟରେ ସବୁ ତଥ୍ୟ ଦେବି । ମୁଁ ସବୁକୁ ସାମ୍ନା କରିବି । ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ ।

ସେ କହିଥିଲେ, ମୁଁ କୋର୍ଟଙ୍କୁ ସହଯୋଗ କରିବି । ଯାହା କରିବି କୋର୍ଟଙ୍କ ମାଧ୍ୟମରେ କରିବି । ମୁଁ ଶାନ୍ତି ଶୃଙ୍ଖଳାର ସହ ବଞ୍ଚିବାକୁ ଚାହୁଁଛି । ତେବେ ଯେଉଁମାନେ ମୋ ଉପରେ ଆସ୍ଥା ରଖିଛନ୍ତି ସେମାନଙ୍କ ଆସ୍ଥା, ବିଶ୍ୱାସ ମୁଁ ଭାଙ୍ଗିବି ନାହିଁ ବୋଲି କହିଥିଲେ ଅର୍ଚ୍ଚନା ନାଗ ।

ସୂଚନାଥାଉ କି, କିଛିମାସ ତଳେ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁଙ୍କ ହନିଟ୍ରାପ ଏବଂ ବ୍ଲାକମେଲିଂ ମାମଲା ସାମ୍ନାକୁ ଆସିଥିଲା ଯାହା ସାରା ରାଜ୍ୟକୁ ଚହଲାଇ ଦେଇଥିଲା । ବଡ ବଡ ଶିଳ୍ପପତି, ବ୍ୟବସାୟୀ, ସିନେ ପ୍ରଯୋଜକ ଏପରିକି ନେତା ମନ୍ତ୍ରୀଙ୍କୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ବଡ ରକମର ଟଙ୍କା ଆଦାୟ କରୁଥିଲେ ।

ତେବେ ଜଣେ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ ନେଇ ଥାନାରେ  ଅଭିଯୋଗ ହେବା ପରେ ସବୁ ମାମଲା ସାମ୍ନାକୁ ଆସିଥିଲା । ଗୋଟି ଗୋଟି କରି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଫିଟିଥିଲା । ରାଜଧାନୀରେ ତାଙ୍କର ବିରାଟ ବିଲ୍ଡିଂ, ଆଲିଶାନ ଇଣ୍ଟେରିୟର, ବଡ ବଡ କାର, କୋଟି କୋଟି ଟଙ୍କାର ସମ୍ପତ୍ତି ଦେଖିବା ପରେ ଇଡି ତଦନ୍ତ ଆରମ୍ଭ ହୋଇଥିଲା । ଏହା ପରେ ପୋଲିସ ଅର୍ଚ୍ଚନାଙ୍କୁ ପୋଲିସ ଗତବର୍ଷ ଅକ୍ଟୋବରରେ ଗିରଫ କରିଥିଲା । ତାଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ବରଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । କିଛି ଦିନ ପୂର୍ବେ ସ୍ବାମୀ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ ମିଳିବାପରେ ସେ ଜେଲରୁ ମୁକୁଳିଥିଲେ  । ଆଜି ଅର୍ଚ୍ଚନାଙ୍କୁ ବେଲ ମିଳିବା ପରେ ତାଙ୍କ ସ୍ୱାମୀ ଜଗବନ୍ଧୁ ତାଙ୍କୁ ନେବାକୁ ଆସିଥିଲେ ।

Comments are closed.