Latest Odisha News

ଆତଙ୍କବାଦୀଙ୍କ ପରିଚୟ ଗୋପନ ରଖି ବିବାଦରେ ୱେବ ସିରିଜ୍, ଫସିଯିବ ନେଟଫ୍ଲିକ୍ସ!  

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ୱେବ ସିରିଜ୍‌କୁ ନେଇ ବିବାଦ । ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ସିରିଜ୍ ଆଇସି ୮୧୪ ଦର୍ଶକ ଓ ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । କିନ୍ତୁ ଅନେକ ଅନୁଭବ ସିହ୍ନା ନିର୍ଦ୍ଦେଶିତ ଆଇସି ୮୧୪ ନେଇ ଆପତ୍ତି ମଧ୍ୟ ଉଠାଇଛନ୍ତି । ବିବାଦରେ ଏବେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ହସ୍ତକ୍ଷେପ କରିଛି । ନେଟଫ୍ଲିକ୍ସର କଂଟେଟ୍ ହେଡ୍ ଙ୍କୁ ସମନ କରିଛି ମନ୍ତ୍ରାଳୟ । ସିରିଜରେ କିଛି ବିବାଦୀୟ ଦିଗ ଉପରେ ସ୍ପଷ୍ଟୀକରଣ ମାଗିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ୱେବ୍ ସିରିଜ ନେଇ କାହିଁକି ବିବାଦ?

ୱେବ୍ ସିରିଜ ଆଇସି ୮୧୪ ୧୯୯୯ ମସିହାର ଏକ ଭାରତୀୟ ବିମାନ ଅପହରଣ ଉପରେ ଆଧାରିତ । କାଠମାଣ୍ଡୁରୁ ଦିଲ୍ଲୀ ଆସିବାକୁ ଥିବା ଏକ ଭାରତୀୟ ଯାତ୍ରୀବାହୀ ବିମାନକୁ ପାକ୍ ଆତଙ୍କବାଦୀମାନେ ୧୯୯୯ ମସିହା ଡିସେମ୍ବରରେ କାନ୍ଦାହାର ଅପହରଣ କରି ନେଇଥିଲେ । କିଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଛାଡିବା ପାଇଁ ଦାବି କରିଥିଲେ ଅପହରଣକାରୀ । ୱେବ୍ ସିରିଜ୍ ସେହି ଘଟଣା ଉପରେ ଆଧାରିତ ହୋଇଥିଲେ ମଧ୍ୟ କିଛି ଅପହରଣକାରୀଙ୍କ ପ୍ରକୃତ ନାଁ ଗୋପନ ରଖିବା ପାଇଁ ଉଦ୍ୟମ ହୋଇଛି ବୋଲି ଅଭିଯୋଗ ହୋଇଛି । ଏଥିପାଇଁ ୱେବ ସିରିଜ୍ ଏବେ ବିବାଦ ଘେରରେ । ପାକିସ୍ତାନୀ ଅପହରଣକାରୀଙ୍କ ନାଁ କାହିଁକି ଗୋପନ ରଖାଯାଇଛି ବୋଲି ପ୍ରଶ୍ନ ହୋଇଛି । ସୋସିଆଲ ମିଡିଆରେ ୱେବ ସିରିଜ୍‌କୁ ପ୍ରବଳ ବିରୋଧ କରାଯାଇଛି । ବୟକଟ ଗ୍ୟାଙ୍ଗ୍ ସକ୍ରିୟ ହୋଇଛନ୍ତି । ନେଟଫ୍ଲିକ୍ସ –ବଲିଉଡ୍ ବୟକଟ୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ଆଇସି ୮୧୪ ୱେବସିରିଜରେ ଅପହରଣକାରୀମାନେ ନିଜର ପ୍ରକୃତ ନାଁ ବଦଳରେ କୋଡ୍ ନେମ୍ ବ୍ୟବହାର କରୁଛନ୍ତି । ଆତଙ୍କବାଦୀମାନଙ୍କୁ ସିରିଜରେ ବର୍ଗର, ଚିଫ୍‌, ଡକ୍ଟର, ଶଙ୍କର ଓ ଭୋଲା ନାଁରେ ନାମିତ କରାଯାଇଛି । ମୁସଲିମ ଆତଙ୍କବାଦୀଙ୍କୁ ହିନ୍ଦୁ ନାଁ କାହିଁକି ଦିଆଯାଇଛି ବୋଲି ମଧ୍ୟ ଅନେକ ଆପତ୍ତି ଉଠାଇଛନ୍ତି । ଏଥିପାଇଁ ନେଟଫ୍ଲିକ୍ସ ସମେତ ୱେବସିରିଜର ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ସୋସିଆଲ ମିିଡିଆରେ କଡା ସମାଲୋଚନା କରାଯାଉଛି । ଏହି ବିବାଦରେ ବିଜେପିର ବି ଏଂଟ୍ରି ହୋଇଛି । ନିର୍ଦ୍ଦେଶକ ଅନୁଭବ ସିହ୍ନା ଜାଣିଶୁଣି ଆତଙ୍କବାଦୀଙ୍କ ମୁସଲିମ ପରିଚୟ ହିନ୍ଦୁ ନାଁ ଦ୍ୱାରା ଲୁଚାଇବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

କ’ଣ ଥିଲା ଅପହରଣକାରୀଙ୍କ ପ୍ରକୃତ ନାଁ ?

୨୦୦୦ ମସିହା ଜାନୁଆରୀ ୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅପହରଣକାରୀଙ୍କ ଅସଲି ନାଁ ପ୍ରକାଶ କରାଯାଇଥିଲା । ବାହାବଲପୁରର ଇବ୍ରାହିମ ଅତହର,  କରାଚିର ସାହିଦ ଅଖତର ସୟିଦ, କରାଚି ଡିଫେନ୍ସ ଏରିଆର ସନି ଅହମ୍ମଦ କାଜି, କରାଚି ଅଖତର କଲୋନିର ମିସ୍ତ୍ରୀ ଜହୁର ଇବ୍ରାହିମ ଓ ସୁକ୍କୁର ସିଟିର ଶାକିର ଭାରତୀୟ ବିମାନକୁ କାଠମାଣ୍ଡୁରୁ ଆଫଗାନିସ୍ତାନର କାନ୍ଦାହାରକୁ ଅପହରଣ କରି ନେଇଥିଲେ । ୮ ଦିନ ପରେ ବିମାନ ଯାତ୍ରୀଙ୍କୁ ଛାଡିଥିଲେ ଅପହରଣକାରୀ । କିନ୍ତୁ ଏଥିପାଇଁ ବାଜପେୟୀ ସରକାର ମୌଲାନା ମାସୁଦ ଆଝାର, ଓମାର ସୟିଦ ଶେଖ୍ ଓ ମୁସ୍ତାକ ଅହମ୍ମଦ ଜରଗର ଭଳି ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଛାଡିବାକୁ ପଡିଥିଲା ।

କାଷ୍ଟିଂ ଡାଇରେକ୍ଟରଙ୍କ ସ୍ପଷ୍ଟୀକରଣ

ଆଇସି ୮୧୪ ସିରିଜର କାଷ୍ଟିଂ ଡାଇରେକ୍ଟର ମନୋଜ ଛାବ୍ରା ବିବାଦ ପରେ ସ୍ପଷ୍ଟୀକରଣ ଦେଇଛନ୍ତି । ଅପହରଣକାରୀମାନେ ଜାଣିଶୁଣି ନକଲି ନାଁ ବ୍ୟବହାର କରୁଥିଲେ । ସିରିଜ୍ ପାଇଁ ଅନେକ ରିସର୍ଚ୍ଚ କରାଯାଇଛି । ଆତଙ୍କବାଦୀମାନେ ପରସ୍ପରକୁ ନକଲି ନାଁରେ ଡାକୁଥିଲେ ବୋଲି ଛାବ୍ରା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

 

Comments are closed.