ଲାହୋର: ଆଇସିସି ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଆଇସିସି ଟୁର କାର୍ଯ୍ୟକ୍ରମରେ ପରିବର୍ତନ କରିଛି । ଏହି ଟୁର ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ବାହାରିବା ନେଇ ବିସିସିଆଇ ଆପତି ଉଠାଇଥିଲା । ଏବେ ଆଇସିସି ସଂଶୋଧିତ କାର୍ଯ୍ୟକ୍ରମ ଜାରୀ କରିଛି । ଏଥିରେ ପିଓକେକୁ ସାମିଲ କରାଯାଇ ନାହିଁ । ଟ୍ରଫି ଟୁର ଏବେ କରାଚୀ, ରାୱଲପିଣ୍ଡି, ଇସଲାମବାଦ ଓ ଖଇବର ପଖୁତୁନବା ଦେଇ ଯିବ । ୧୭ ନଭେମ୍ବରରୁ ଇସଲାମବାଦରୁ ଏହା ଆରମ୍ଭ ହେବ ।
ଏହା ପରେ ୨୬ରୁ ୨୮ ପର୍ଯ୍ୟନ୍ତ ଆଫଗାନିସ୍ତାନ, ୧୦ରୁ ୧୩ ଡିସେମ୍ବର ବାଂଲାଦେଶ, ୧୫ରୁ ୨୨ ଡିସେମ୍ବର ଦକ୍ଷିଣ ଆଫ୍ରିକା, ୨୫ରୁ ୫ ଜାନୁୟାରୀ ୨୦୨୫ ଅଷ୍ଟ୍ରେଲିଆ, ୬ରୁ ୧୧ ଜାନୁୟାରୀ ନ୍ୟୁଜିଲାଣ୍ଡ, ୧୨ରୁ ୧୪ ଜାନୁୟାରୀ ଇଂଲଣ୍ଡ ଏବଂ ୧୫ରୁ ୨୬ ପର୍ଯ୍ୟନ୍ତ ଏହା ଭାରତରେ ଆୟୋଜିତ ହେବ । ଅନ୍ୟ ଦେଶଗୁଡିକରେ ଏହା କେଉଁ କେଉଁ ସ୍ଥାନ ଦେଇ ଯିବ ସେ ସମ୍ପର୍କରେ ପରେ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ୨୦୧୭ରେ ଇଂଲଣ୍ଡକୁ ହରାଇ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ହାସଲ କରିଥିଲା । ପାକିସ୍ତାନ ଏଥର ଏହାର ଆୟୋଜକ ଥିବା ବେଳେ ଭାରତ ସୁରକ୍ଷା ଦୃଷ୍ଟିକୋଣରୁ ଏହି ଗସ୍ତରେ ଯିବ ନାହିଁ ବୋଲି ଘୋଷଣା କରିଛି ।