ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ର୍ୟାଙ୍କିଙ୍ଗକୁ ନେଇ ହୋଇଥିବା ତ୍ରୁଟିକୁ ଆଇସିସି ମାନିଛି । ଏହା ଆମର ଭୂଲ ଥିଲା ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଆଇସିସି ବୁଧବାର କହିଥିଲା କୋହଲି ୮୨୫ ଦିନ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନରେ ରହିଥିଲେ । ଶୁକ୍ରବାର ଏହି ତ୍ରୁଟି ସୁଧାରିବା ସହ ଏହାକୁ ୧୫୪୭ ଦିନ ବୋଲି ଘୋଷଣା କରିଥିଲା । ଏଥିସହ କୋହଲି ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ଦିନ ଏକ ନମ୍ବର ହାସଲ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜର ଭିଭିଆନ ରିଚାର୍ଡ୍ସ (୨୩୦୬) ଓ ବ୍ରାଏନ ଲାରା (୨୦୯୭) ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି ।
କୋହଲି କ୍ୟାରିୟରରେ ଓଭରାଲ ୧୧ ଥର ଏକ ନମ୍ବର ସ୍ଥାନରେ ରହିଛନ୍ତି । ଅବଶ୍ୟ ଆଇସିସି ଏହା ପୂର୍ବରୁ ଆଉ ୨ଟି ତ୍ରୁଟି କରିଥିଲା । ୧୮ ଜାନୁୟାରୀ ୨୦୨୨ରେ ଆଇସିସି ଅଫିସିଆଲ ୱେବସାଇଟରେ ଭାରତକୁ ପ୍ରଥମେ ୧ ନମ୍ବର ଟିମ ଦର୍ଶାଯାଇଥିଲା । ଏହାର ଅଢ଼େଇ ଘଂଟ ପରେ ଭାରତ ବଦଳରେ ଅଷ୍ଟ୍ରେଲିଆକୁ ଏକ ନମ୍ବର ଟିମ କରାଯାଇଥିଲା । ୨୦ ଅଗଷ୍ଟ ୨୦୨୫ରେ ଆଇସିସି ର୍ୟାଙ୍କିଙ୍ଗରେ ଭାରତର ରୋହିତ ଶର୍ମା ଓ ବିରାଟ କୋହଲି ତାଲିକାରେ ନ ଥିଲା । ୪ ଘଂଟା ପରେ ଆଇସିସି ତ୍ରୁଟି ସୁଧାରିଥିଲା ।