ନୂଆଦିଲ୍ଲୀ: ଆଇସିସି ରବିବାର ଦିନିକିଆ ବିଶ୍ୱକପ ୨୦୨୩ର ଅଫିସିଆଲ ମାସ୍କଟଙ୍କ ନାମ ଘୋଷଣା କରିଛି । ମାସ୍କଟକୁ ମହିଳା ବୋଲର ଓ ପୁରୁଷ ବ୍ୟାଟ୍ସମ୍ୟାନ ଥୀମ ଉପରେ ପ୍ରସ୍ତୁତ କରାଯାଇଛି । ପୁରୁଷ ମାସ୍କଟର ନାମ ଟୋଙ୍କ ଓ ମହିଳାର ନାମ ବ୍ଲେଜ ରଖାଯାଇଛି । ଆଇସିସି ଅଫିସିଆଲ ୱେବସାଇଟ ଅନୁସାରେ ଏହି ଦୁଇ ମାସ୍କଟ ବିଶ୍ୱକପର ସମସ୍ତ ଭେନ୍ୟୁରେ ଉପସ୍ଥିତ ରହିବେ । ଏମାନେ ପ୍ରଶଂସକଙ୍କ ସହିତ କଥା ହେବେ, ମଜା କରିବେ ଓ କ୍ରିକେଟରେ ରୋମାଂଚ ଭରିବେ ବୋଲି ଆଇସିସି କହିଛି । ଅଗଷ୍ଟରେ ଅଫିିସିଆଲ ମାସ୍କଟ ଲଂଚ କରାଯାଇଥିଲା । ଏମାନଙ୍କ ନାମ ପାଇଁ ପ୍ରଶଂସକଙ୍କୁ ସାହାଯ୍ୟ ମଗା ଯାଇଥିଲା ।
୧୯ ଅଗଷ୍ଟରେ ୱେବସାଇଟରେ ଏ ନେଇ ଏକ ଭୋଟ ଲିଙ୍କ ଦିଆ ଯାଇଥିଲା । ଶେଷରେ ଟୋଙ୍କ ଏବଂ ବ୍ଲେଜ ନାମ ଚୂଡାନ୍ତ ହୋଇଥିଲା । ବୋଲର ମାସ୍କଟ ବ୍ଲେଜ ଟର୍ବୋ ପାୱାର ଏନର୍ଜି ରହିଛି । ଏହାର ଅଂଟାରେ ୬ଟି ବଲ ବନ୍ଧାଯାଇଛି । ଯାହାକି ମ୍ୟାଚ ପରିବର୍ତନ ରଣନୀତିକୁ ସୂଚାଉଛି । ସେହିପରି ବ୍ୟାଟର ଇଲୋକ୍ଟ୍ରୋମ୍ୟାଗ୍ନେଟିକ ବ୍ୟାଟ ରହିଛି । ଯିଏ କି ପ୍ରତ୍ୟେକ ଶଟରେ ନୂତନ ଏନର୍ଜି ଓ ଉତ୍ସାହ ଭରିବ । ଅକ୍ଟୋବର ୫ରେ ଅହମ୍ମଦାବାଦରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ ମୁକାବିଲା ଆରମ୍ଭ ହେବ ।
Comments are closed.