Latest Odisha News

BREAKING NEWS

ଆଜି କିଏ ଜିତିବ ବଡ଼ ମ୍ୟାଚ୍ ? ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କଡ୍ଡା ଟକ୍କର୍

ଇଂଲଣ୍ଡରେ ଚାଲିଥିବା କ୍ରିକେଟ ମହାକୁମ୍ଭ ଆଇସିସି ବିଶ୍ୱକପ ପ୍ରତିଯୋଗିତାର ସବୁଠୁ ପ୍ରତିଦ୍ୱନ୍ଦିତାମୂଳକ ମ୍ୟାଚ୍ ଆଜି ଅନୁଷ୍ଠିତ ହେଉଛି । କ୍ରିକେଟ ବିଶାରଦଙ୍କ କହିବାନୁଯାୟୀ, ଚଳିତତ ବିଶ୍ୱକପର ଦୁଇ ପ୍ରମୁଖ ଦାବିଦାର୍ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆଜି ଲଣ୍ଡନରେ ଅନୁଷ୍ଠିତ ହେଉଛି ବଡ଼ ମ୍ୟାଚ୍ । ବିରାଟ କୋହଲୀଙ୍କ ଜବରଦସ୍ତ ଟିମ୍ ଇଣ୍ଡିଆ ଶକ୍ତିଶାଳୀ କଙ୍ଗାରୁ ଦଳକୁ କିପରି ସମ୍ମୁଖୀନ ହେବ ତାହାର ରଣନୀତି ପ୍ରସ୍ତୁତ କରାଯାଇଛି ବୋଲି ଭାରତୀୟ ଥିଙ୍କଟ୍ୟାଙ୍କ୍ କହିଛନ୍ତି । ଭାରତୀୟ ଦଳର ସମସ୍ତ ଉତ୍ସାହ ଓ ଉଦ୍ଦିପନା ଏହି ମ୍ୟାଚରେ ହିଁ ପରୀକ୍ଷା ହୋଇଯିବ ବୋଲି ଖୋଦ୍ ଅଷ୍ଟ୍ରେଲୀୟ ଟିମ୍ ମ୍ୟାଚ୍ ପୂର୍ବରୁ କହିଛି ।

ଆଜିର ମ୍ୟଚରେ ଯେଉଁ ବିଶ୍ୱସ୍ତରୀୟ କ୍ରିକେଟରଙ୍କ କ୍ରିକେଟ କରିସ୍ମା ଦେଖିବାକୁ କ୍ରିକେଟପ୍ରେମୀ ଅପେକ୍ଷା କରିଛନ୍ତି ସେମାନେ ହେଲେ – କପ୍ତାନ ଆରୋନ ଫିଞ୍ଚ, ଉସମାନ ଖ୍ୱାଜା, ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା, ଟିମ୍ ଇଣ୍ଡିଆର ଲକି କ୍ୟାପଟେନ ବିରାଟ କୋହଲୀ, ପ୍ୟାଟ୍ କୁମିନ୍ସ, ଆଦାମ୍ ଜାମ୍ପା, ଅଲରାଉଣ୍ଡର୍ କୁଲଦୀପ ଯାଦବ ଏବଂ ଭାରତୀୟ ପେସ୍ ଏକ୍ସପ୍ରେସ୍ ଭୁବନେଶ୍ୱର କୁମାର । ଉଭୟ ଦଳରେ ଏକାଧିକ ମ୍ୟାଚ୍ ୱିନିଂ ପ୍ଲେୟାର୍ ରହିଥିବା ବେଳେ ଏହି ଖେଳାଳିଙ୍କ ଉପରେ ଦଳ ଅନେକ କିଛି ଆଶା କରିଛି । ଏହି ଖେଳାଳିମାନେ ଯଦି କ୍ଲିକ୍ କରନ୍ତି ତେବେ ଉଭୟ ଦଳ ଅଧିକ ଲାଭବାନ ହୋଇପାରିବେ ।

ପୂର୍ବରୁ ବିରାଟଙ୍କ ଟିମ୍ ଇଣ୍ଡିଆ ବିଶ୍ୱକପର ଡ଼ାର୍କହର୍ଷ୍ କୁହାଯାଉଥିବା ଦକ୍ଷିଣ ଆଫ୍ରିକା ଦଳକୁ ପରାସ୍ତ କରି ମନୋବଳ ବୃଦ୍ଧି କରିପାରିଛି । ଅନ୍ୟପକ୍ଷରେ କଙ୍ଗାରୁ ଦଳ ତା’ର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳକୁ ପରାସ୍ତ କରିପାରିଛି । ତେବେ ସବୁଠାରୁ ବଡ଼କଥା ହେଲା ଆଜି ପରସ୍ପରକୁ ଭେଟୁଥିବା ଟୁର୍ଣ୍ଣାମେଣ୍ଟର ଦୁଇ ଶକ୍ତିଶାଳୀ ଦଳ ଦୁଇଟି ଭଲ ଦଳକୁ ନିକଟରେ ପରାସ୍ତ କରିଛନ୍ତି । ତେଣୁ ଆଜିର ଏହି ମ୍ୟଚ ବେଶ୍ ପ୍ରତିଦ୍ୱନ୍ଦିତା ମୂଳକ ହେବ ବୋଲି କ୍ରିକେଟ ପଣ୍ଡିତମାନେ ଆଶା ପୋଷଣ କରିଛନ୍ତି ।

ଟିମ୍ ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ (ଅଧିନାୟକ), ଜାସନ ବେହରେନଡ୍ରଫ, ଆଲେକ୍ସ କ୍ୟାରୀ, ନାଥନ କଲ୍ଟରନିଲ, ପ୍ୟାଟ କୁମିନ୍ସ, ଉସମାନ ଖ୍ୱାଜା, ନାଥନ ଲିୟନ, ସନ୍ ମାର୍ଶ, ଗ୍ଲେନ୍ ମାକ୍ସୱେଲ, କେନ୍ ରିଚାର୍ଡ଼ସନ, ଷ୍ଟିଭ୍ ସ୍ମିଥ, ମିଚେଲ୍ ଷ୍ଟାର୍କ, ମାକ୍ସ ଷ୍ଟଇନିସ, ଡ଼େଭିଡ଼ ୱାର୍ଣ୍ଣର ଏବଂ ଆଦାମ ଜାମ୍ପା ।

ଟିମ୍ ଇଣ୍ଡିଆ: ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଡ଼େଜା, ଜଶପ୍ରିତ୍ ବୁମରା, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସାମ, କେ ଏଲ ରାହୁଲ ଓ ବିଜୟ ଶଙ୍କର ।

ଆଜି ଦିନ ୩ଟା ସମୟରେ ଲଣ୍ଡନ ଓଭାଲରେ ଏହି ମ୍ୟାଚ୍ ଅନୁଷ୍ଠିତ ହେଉଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଗତ ୫ଟି ମ୍ୟାଚ ସମ୍ପର୍କରେ ଯଦି ଆମେ ପର୍ଯ୍ୟାଲୋଚନା କରିବା ତେବେ ୩-୨ ଅର୍ଥାତ୍ ଏହି ୫ଟି ମ୍ୟାଚ ମଧ୍ୟରୁ ଭାରତ ୨ଟି ମ୍ୟାଚ୍ ଜିତିଥିବା ବେଳେ କଙ୍ଗାରୁ ଦଳ ୩ଟି ମ୍ୟାଚରେ ବିଜୟ ହାସଲ କରିପାରିଛି । ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଏହି ଦୁଇ ବିଶ୍ୱକପ ଦାବିଦାରଙ୍କ ମଧ୍ୟରୁ କେହି କାହାରିଠାରୁ କମ୍ ନୁହଁନ୍ତି । କେବଳ ମ୍ୟଚରେ ଉଭୟ ଦଳର ଭଲ ପ୍ରଦର୍ଶନ ହିଁ ଦଳକୁ ବିଜୟ ହାସଲ କରିପାରିବାରେ ସହାୟକ ହେବ ।କେଉଁଦିନ କେଉଁ ଦଳକୁ ଭେଟିବ ବିରାଟଙ୍କ ଟିମ୍ ଇଣ୍ଡିଆ:
ବିପକ୍ଷ ଦଳ                           ଷ୍ଟାଡ଼ିୟମ / ସ୍ଥାନ                    ତାରିଖ / ସମୟ
ଭାରତ ବନାମ ଦକ୍ଷିଣ ଆଫ୍ରିକା –   ସାଉଥମ୍ପଟନ୍                        ଜୁନ ୫ (ଦିନ ୩ଟା)
ଭାରତ ବନାମ ଅଷ୍ଟ୍ରେଲିଆ –         ଓଭାଲ୍, ଲଣ୍ଡନ                     ଜୁନ ୯ (ଦିନ ୩ଟା)
ଭାରତ ବନାମ ନ୍ୟୁଜିଲାଣ୍ଡ –          ଟ୍ରେଣ୍ଟବ୍ରିଜ, ନଟିଂହାମ              ଜୁନ ୧୩ (ଦିନ ୩ଟା)
ଭାରତ ବନାମ ପାକିସ୍ତାନ –           ଓଲ୍ଡ ଟ୍ରାଫୋର୍ଡ଼, ମାଞ୍ଚେଷ୍ଟର୍        ଜୁନ ୧୬ (ଦିନ ୩ଟା)
ଭାରତ ବନାମ ଆଫଗାନିସ୍ତାନ –      ହାମ୍ପସାୟାର, ସାଉଥମ୍ପଟନ       ଜୁନ ୨୨ (ଦିନ ୩ଟା)
ଭାରତ ବନାମ ୱେଷ୍ଟଇଣ୍ଡିଜ –         ଓଲ୍ଡ ଟ୍ରାଫୋର୍ଡ଼, ମାଞ୍ଚେଷ୍ଟର୍        ଜୁନ ୨୭ (ଦିନ ୩ଟା)
ଭାରତ ବନାମ ଇଂଲଣ୍ଡ –              ଏଜବାଷ୍ଟନ, ବର୍ମିଂହାମ            ଜୁନ ୩୦ (ଦିନ ୩ଟା)
ଭାରତ ବନାମ ବାଂଲାଦେଶ –         ଏଜବାଷ୍ଟନ, ବର୍ମିଂହାମ            ଜୁଲାଇ ୨ (ଦିନ ୩ଟା)
ଭାରତ ବନାମ ଶ୍ରୀଲଙ୍କା –              ହେଡ଼ିଂଲେ, ଲିଡ୍ସ୍                  ଜୁଲାଇ ୬ (ଦିନ ୩ଟା)
ପ୍ରଥମ ସେମିଫାଇନାଲ୍ –               ଓଲ୍ଡ ଟ୍ରାଫୋର୍ଡ଼, ମାଞ୍ଚେଷ୍ଟର୍       ଜୁଲାଇ ୯ (ଦିନ ୩ଟା)
ଦ୍ୱିତୀୟ ସେମିଫାଇନାଲ୍ –              ଏଜବାଷ୍ଟନ, ବର୍ମିଂହାମ            ଜୁଲାଇ ୧୧ (ଦିନ ୩ଟା)
ଫାଇନାଲ୍ –                              ଲର୍ଡସ୍, ଲଣ୍ଡନ                    ଜୁଲାଇ ୧୪ (ଦିନ ୩ଟା)

Leave A Reply

Your email address will not be published.