ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ନୂଆ ଫର୍ମାଟରେ ହେବ ବୋଲି ଆଇସିସି ଘୋଷଣା କରିଛି । ତେବେ ଏହି ଫର୍ମାଟକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଆସୋସିଏଟ ଦେଶ ଓ ଡବ୍ଲ୍ୟୁସିଏ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୭୦୦ରୁ ଅଧିକ ଆନ୍ତର୍ଜାତୀୟ ଖେଳାଳିଙ୍କ ପ୍ରତିନିଧିତ୍ୱ କରୁ୍ଥିବା ଡବ୍ଲ୍ୟୁସିଏ ପକ୍ଷରୁ କୁହାଯାଇଛି, ଏ ଭଳି ବଡ ପରିବର୍ତନ କରିବା ପୂର୍ବରୁ ଖେଳାଳିଙ୍କ ହିତ ଚିନ୍ତା କରିବା ଉଚିତ । ଏଥିନେଇ ପୂର୍ବରୁ ଆଲୋଚନା ହେବା କଥା । ଆମକୁ ସାମିଲ ନ କରିବା ନିଶ୍ଚିତ ଭାବେ ଦୁଃଖର କଥା ବୋଲି ସଂଗଠନ କହିଛନ୍ତି ।
ଆସୋସିଏଟ ଦେଶର ଅଧିନାୟକମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍କଟଲାଣ୍ଡ ଅଧିନାୟକ ରିଚି ବେରିଂଟନ କହିଛନ୍ତି ଖେଳାଳିଙ୍କ କ୍ୟାରିୟରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲେ ଚର୍ଚ୍ଚା ହେବା ଜରୁରୀ । ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଡାରେଲ ମିଚେଲ କହିଛନ୍ତି ଯେ, ବଡ ଟିମ ସହିତ ଖେଳିବା ପାଇଁ ଉପଯୁକ୍ତ ସୁଯୋଗ ନ ମିଳିଲେ ଛୋଟ ଟିମଗୁଡିକର ଉନ୍ନତି ହୋଇପାରିବ ନାହିଁ । ଆଇସିସି ଏ ନେଇ କୌଣସି ବୟାନ ଜାରୀ କରିନି ।