Latest Odisha News

ଦୁର୍ଘଟଣାରେ ଅନେକ ମୃତଦେହକୁ ଚିହ୍ନଟ କରିବା ପ୍ରଶାସନ ପାଇଁ ଆହ୍ୱାନ: ଅନୁ ଗର୍ଗ

ଭୁବନେଶ୍ୱର: ବାଲେଶ୍ୱରର ବାହାନଗା ଷ୍ଟେସନରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ପରେ ଏବେ ମୃତଦେହ ଚିହ୍ନଟ କରିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଶବ ଗୁଡିକର ଅବସ୍ଥା ଗୁରୁତର ହୋଇପଡିଥିବାରୁ ପରିବାର ଲୋକେ ନିଜ ପ୍ରିୟଜନଙ୍କୁ ଚିହ୍ନିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ କ୍ଷେତ୍ରରେ ଗୋଟିଏ ଶରୀର ପାଇଁ ଦୁଇ ଜଣ ଦାବି ମଧ୍ୟ କରୁଛନ୍ତି। ତେଣୁ ଏଭଲି କ୍ଷେତ୍ରରେ ଡିଏନଏ ପରୀକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ, ହସ୍ପିଟାଲ ଏବଂ ଶବାଗାରରେ ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଛି। ଯେଉଁଥିରେ ପୀଡ଼ିତ ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକୀୟ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ସେ ସ୍ୱୀକାର କରିଛନ୍ତି ଯେ ଏତେ ବଡ଼ ଦୁର୍ଘଟଣାରେ ମୃତଦେହ ଚିହ୍ନଟ କରିବା ଏକ ଆହ୍ୱାନ। କିନ୍ତୁ ସେ ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟ ପ୍ରଶାସନ ରେଳ ଏବଂ କେନ୍ଦ୍ର ସରକାରଙ୍କ ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ମୃତଦେହ ସମ୍ପର୍କୀୟଙ୍କ ସହାୟତାରେ ଚିହ୍ନଟ କରାଯାଇଛି। ଆମେ ୪୦ଟି ମୃତଦେହକୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇ ଦେଇଛୁ। ଭୁବନେଶ୍ୱର ମହାନଗର ନିଗମର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଆମେ କିଛି ବିକୃତ ମୃତଦେହ ଚିହ୍ନଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛୁ। ଶବ ବ୍ୟବଛେଦ କରିବା ସମୟରେ ଡାକ୍ତରମାନେ ସମସ୍ତ ଆବଶ୍ୟକ ପ୍ରକ୍ରିୟାକୁ ପାଳନ କରୁଛନ୍ତି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧୭୦ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ଶବବାହକଙ୍କୁ ସେମାନଙ୍କ ନିର୍ଦ୍ଧାରିତ ସ୍ଥାନକୁ ମାଗଣାରେ ନେବା ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି।

ଭୁବନେଶ୍ୱର ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୨୩ଟି ମୃତଦେହ ମିଳିଛି ଏବଂ ୩୨ଟି ମୃତଦେହ ଚିହ୍ନଟ ପରେ ପଠାଯାଇଛି।

 

Comments are closed.