Latest Odisha News

BREAKING NEWS

ଯୁଦ୍ଧକୁ ବନ୍ଦ କରିଦେଲେ କିନ୍ତୁ ପେପର ଲିକକୁ ଅଟକାଇ ପାରିଲେ ନାହିଁ ମୋଦୀ: ରାହୁଲ

ନୂଆଦିଲ୍ଲୀ: ନିଟ୍‌ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୋଦୀ ଇସ୍ରାଏଲ-ଗାଜା ଏବଂ ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ବନ୍ଦ କରି ଦେଇଛନ୍ତି, କିନ୍ତୁ ପରିକ୍ଷା ପେପର ଲିକକୁ ଘଟଣାକୁ ଅଟକାଇ ପାରିଲେ ନାହିଁ । ଯେଉଁମାନେ ପେପର ଲିକ କରିଛନ୍ତି ସେମାନଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପେପର ଲିକ ପୂର୍ବର ସିଷ୍ଟମକୁ ଆମକୁ ଯାଞ୍ଚ କରିବାକୁ ପଡିବ। ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳାଯାଇଛି। ନିଟ୍‌ ପେପର ଲିକ ହୋଇଛି। ୟୁଜିସି ନେଟ ପେପରରେ ଅନିୟମିତତା ହୋଇଛି, ସବୁକିଛି ଯାଞ୍ଚ କରାଯିବା ଉଚିତ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

ବିମୁଦ୍ରୀକରଣ ଏବଂ ଅର୍ଥନୀତି ସହିତ ସରକାର ଯାହା କରିଛନ୍ତି, ତାହା ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ କରାଯାଇଛି । ଏହି କାରଣରୁ ଲୋକମାନେ ଚିନ୍ତିତ ଅଛନ୍ତି । ଏକ ସ୍ଵାଧୀନ, ବସ୍ତୁନିଷ୍ଠ ଶିକ୍ଷା ବ୍ୟବସ୍ଥା କୁ ବିଲୋପ କରାଯାଇଛି । ଯେଉଁମାନେ ଏଠାରେ ଦୋଷୀ, ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ୍ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।ଆମର ନ୍ୟାୟପତ୍ରରେ ପେପର ଲିକ୍ ବିରୋଧରେ ଲଢି ଯୁବପିଢି ମାନଙ୍କୁ ନ୍ୟାୟ ଦେବାର ଗ୍ୟାରେଣ୍ଟି ଦେଇଥିଲୁ। ଆମ ଗ୍ୟାରେଣ୍ଟି ଅନୁସାରେ ଆମେ ନିଶ୍ଚୟ କାମ କରିବୁ। ଦରକାର ପଡ଼ିଲେ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଏହି କଥା ଉଠାଇବୁ ବୋଲି କହିଛନ୍ତି କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ।

ସୂଚନା ଥାଉକି, ଜୁନ୍‌ ୧୩ ତାରିଖରେ ନିଟ୍‌ ୟୁଜି ରେଜଲ୍ଟ ମାମଲାକୁ ନେଇ ସୁପ୍ରିମ୍‌କୋର୍ଟରେ ଦାଏର ହୋଇଥିବା ୩ ଯାଚିକାର ଶୁଣାଣି ହୋଇଥିଲା । ସୁପ୍ରିମ୍‌କୋର୍ଟ ଏନେଇ କହିଥିଲେ ଯେ, ୨୩ ଜୁନ୍‌ରେ ପୁନର୍ବାର ପରୀକ୍ଷା କରାଯିବ ଏବଂ ୩୦ ଜୁନ୍‌କୁ ଏହାର ଫଳ ପ୍ରକାଶ ପାଇବ । ଫଳରେ ଜୁଲାଇ ୬ରେ ହେବାକୁ ଥିବା କାଉନ୍‌ସେଲିଂରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୋର୍ଟ କହିଥିଲେ । ଏହାପରେ ୧୫୬୩ ଜଣ ପରୀକ୍ଷାର୍ଥୀଙ୍କ ଗ୍ରେସମାର୍କ ରଦ୍ଦ କରାଯାଇଥିଲା । ଏହି ପରୀକ୍ଷାର୍ଥୀଙ୍କୁ ପୁଣିଥରେ ପରୀକ୍ଷା ଦେବା ପାଇଁ ବିକଳ୍ପ ଦିଆଯିବା ନେଇ କେନ୍ଦ୍ର ଜଣାଇବା ପରେ ସୁପ୍ରିମ୍‌କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ।

 

 

Leave A Reply

Your email address will not be published.