Latest Odisha News

ମାତ୍ର ଗୋଟେ ମିନିଟରେ ଜଣାପଡିବ ଆପଣ କ୍ୟାନ୍ସରରେ ପୀଡିତ କି ନାହିଁ…

କାନପୁର: ଏବେ ମାତ୍ର ଗୋଟିଏ ମିନିଟରେ ଜଣାପଡିବ ଆପଣ କର୍କଟ ରୋଗରେ ପୀଡିତ କି ନାହିଁ । ଆଇଆଇଟି କାନପୁର ଏପରି ଏକ ଆଶ୍ଚର୍ଯ୍ୟଜନକ ଡିଭାଇସ ପ୍ରସ୍ତୁତ କରିଛି ଯାହା ଦ୍ଵାରା ମାତ୍ର ୬୦ ସେକେଣ୍ଡରେ କର୍କଟ ରୋଗରେ ପୀଡିତ କି ନାହିଁ ତାହା ଜଣାପଡିବ । ତେବେ ଏହି ଡିଭାଇସଟି କେବଳ ମୁଖ କର୍କଟ ଚିହ୍ନଟ ପାଇଁ ବ୍ୟବହାର କରାଯାଇପାରିବ । ଉକ୍ତ ଡିଭାଇସଟି ପାଟିର ଭିତରର ଫଟୋ ଉଠାଇବା ପରେ ଏହାକୁ ବିଶ୍ଳେଷଣ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବ ।

ଏହି ଡିଭାଇସ ସାହାର୍ଯ୍ୟରେ କର୍କଟ ରୋଗ ଏବେ କେଉଁ ପର୍ଯ୍ୟାୟରେ ଅଛି ତାହା ମଧ୍ୟ ଜଣାପଡିବ । ଏହି ଡିଭାଇସଟି କେମିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଜୟନ୍ତ କୁମାର ସିଂଙ୍କ ସାହାର୍ଯ୍ୟରେ ସ୍କୈନ ଜେନି ନାମ ଏକ କମ୍ପାନୀ ସୃଷ୍ଟି କରିଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହା ବଜାରକୁ ଆସିପାରେ ବୋଲି ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ଏହି ଡିଭାଇସଟି କେତେ ପ୍ରଭାବଶାଳୀ ଏବଂ ଏହାର ଦର ବିଷୟରେ …

ଗତ ୬ ବର୍ଷ ଧର ଏହି ଡିଭାଇସକୁ ବିକଶିତ କରିବାରେ ଲାଗିଥିଲେ ପ୍ରଫେସର ଜୟନ୍ତ କୁମାର ସିଂଙ୍କ ଟିମ୍ । ଏହା ଏକ ପୋର୍ଟେବଲ୍ ଡିଭାଇସ୍ । ଅତି ସହଜରେ ଏକ ଛୋଟ ବ୍ୟାଗରେ ଏହାକୁ ରଖି ଆପଣ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ନେଇପାରିବେ । କାନପୁରର ଅନେକ ସ୍ଥାନରେ କ୍ୟାମ୍ପ ସ୍ଥାପନ କରି ପ୍ରାୟ ୩ ହଜାର ଲୋକଙ୍କ ଉପରେ ଏହାର ପରୀକ୍ଷା କରାଯାଇଥିଲା । ୨୨ ବର୍ଷ ପର୍ଯ୍ୟନ୍ତ ଯୁବକଙ୍କ ଠାରେ ଏହି ଡିଭାଇସର ପରୀକ୍ଷା କରାଯାଇଥିଲା ।

ଏହା ଦେଖିବାକୁ ଟୁଥ୍ ବ୍ରଶ୍ ପରି । ଏଥିରେ ଉଚ୍ଚମାନର କ୍ୟାମେରା ଏବଂ ଏଲଇଡି ଅଛି । ସ୍ମାର୍ଟଫୋନ୍, ଟାବଲେଟ୍ କିମ୍ବା ଆଇପ୍ୟାଡ୍ ସହିତ ଏହାକୁ ଅତି ସହଜରେ କନେକ୍ଟ କରିହେବ । ପାଟି ଭିତରେ ଫଟୋ ଉଠାଇବା ପରେ କ୍ୟାମେରା ମୋବାଇଲକୁ ଏକ ବିସ୍ତୃତ ରିପୋର୍ଟ ପଠାଇବ । ଏହାର ଫଳାଫଳ ୯୦% ସଠିକ୍ ରହିବା ସହ ଏହାର ପରୀକ୍ଷଣରେ କୌଣସି ଯନ୍ତ୍ରଣା ହେବ ନାହିଁ ବୋଲି କହିଛନ୍ତି ପ୍ରଫେସର ଜୟନ୍ତ କୁମାର ସିଂ ।

ଏହି ଡିଭାଇସର ମୂଲ୍ୟ ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କା ମଧ୍ୟରେ ରହିବ। ଏଥିରେ ବ୍ୟବହୃତ ଅନେକ ଜିନିଷ ବିଦେଶରୁ ଆମଦାନୀ କରିବାକୁ ପଡିବ, ତେଣୁ ଏହାର ମୂଲ୍ୟ ଅଧିକ ରହିବ । ଗୋଟିଏ ଡିଭାଇସରେ ଅତିକମରେ ୫ ଲକ୍ଷ ଲୋକଙ୍କର ପରୀକ୍ଷା କରାଯାଇପାରିବ । ଗୋଟିଏ ଦିନରେ ପ୍ରାୟ ୩୦୦ ଲୋକଙ୍କର ପରୀକ୍ଷା କରାଯାଇପାରିବ । ତେବେ ବଜାରରେ ଏହି ଉପକରଣର ଆଗମନ ମେଡିକାଲରେ ଏକ ବଡ ବିପ୍ଳବ ଆଣିପାରେ ବୋଲି କହିଛନ୍ତି ପ୍ରଫେସର ସିଂ ।

Leave A Reply

Your email address will not be published.