କଟକ: ଅବୈଧ ଏଲପିଜି ସିଲିଣ୍ଡର ଗଚ୍ଛିତ ଏବଂ କଳାବଜାରୀ ବିରୋଧରେ ରାଜ୍ୟବ୍ୟାପୀ ଚାଲିଛି ଅଭିଯାନ। ଏହି ପରିପ୍ରେକ୍ଷୀରେ ପୋଲିସ, ଜିଲ୍ଲା ପ୍ରଶାସନ ଏବଂ ସିଭିଲ ଯୋଗାଣ ଅଧିକାରୀଙ୍କ ଏକ ମିଳିତ ଟିମ୍ ଶନିବାର କଟକ ଜିଲ୍ଲାରେ ୫୦୦ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ କରିଛି।
କଟକ ସଦର ଥାନା ଅନ୍ତର୍ଗତ ବାରଙ୍ଗ ବ୍ଲକର ବ୍ରାହ୍ମଣଝରିଲୋରେ ଏକ ବେଆଇନ ଗୋଦାମ ଉପରେ ସକାଳେ ଚଢାଉ କରାଯାଇଥିଲା। ଫୁଲନଖରା-ନିଆଳି ରାଜ୍ୟ ରାଜପଥ ୬୦ ପାର୍ଶ୍ୱରେ ଏକ ଘରୁ ବେଆଇନ ଏଲପିଜି ସିଲିଣ୍ଡର ସଂରକ୍ଷଣ ଏବଂ ବଣ୍ଟନ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ କଟକ ଗ୍ରାମାଞ୍ଚଳ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ଏହି ଘଟଣାରେ ପୋଲିସ ଦୁଇ ଯୁବକଙ୍କୁ ଅଟକ ରଖିବା ସହ ତିନୋଟି ଗାଡ଼ି ଜବତ କରିଥିଲା। ଏହାବ୍ୟତୀତ ଉକ୍ତ ସ୍ଥାନକୁ ସିଲ୍ ମଧ୍ୟ କରିଥିଲା।
ତେବେ କିଛି ଦିନ ପୂର୍ବରୁ ଏପ୍ରିଲ ୨୩ ତାରିଖରେ ଏହି ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଅଞ୍ଚଳରେ ୫୫୨ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଥିଲା। ଯାହା ସବୁଠୁ ଅଧିକ ଥିଲା।