Latest Odisha News

BREAKING NEWS

ବେଆଇନ ଖଣି ଖନନ ମାମଲା, ବିଜେଡି ବିଧାୟକଙ୍କୁ ଇଡିର ୭ ଘଣ୍ଟା ଜେରା

ଭୁବନେଶ୍ୱର: ବେଆଇନ ଖଣି ଖନନ ମାମଲାରେ ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କୁ ଜେରା। ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଜେରା କରିଛି। ହେଲେ ଜେରା ବେଳେ ଶାସକ ଦଳର ଏହି ବିଧାୟକ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବୋଲି ସୂଚନା ରହିଛି। ତେଣୁ ପୁଣିଥରେ ବିଧାୟକ ଇଡି ଜେରାର ସମ୍ନୁଖୀନ ହୋଇପାରନ୍ତି ବୋଲି ସୂଚନା ରହିଛି।

ତାଳଚେର ବିଧାୟକ ବ୍ରଜ ପ୍ରଧାନ ସିଧାସଳଖ ବେଆଇନ ଖଣି ଖନନ ଲିଙ୍କରେ ସାମିଲ ଥିବାନେଇ ପ୍ରମାଣ ନାହିଁ। ହେଲେ ତାଙ୍କ ଇଙ୍ଗିତରେ ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ଖଣି ଖନନ ହେଉଥିବା ଜଣାପଡିଛି। ନିକଟରେ ଆୟକର ବିଭାଗ ରାଜଧାନୀ ସ୍ଥିତ ଭିଏସଏସ ନଗର ପ୍ଲଟ ନମ୍ବର ୫୦୧୬ରେ ଥିବା ତିନି ମହଲା କୋଠା, କେନ୍ଦୁଝର, ଅନୁଗୁଳ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ଏହି ସମୟରେ ବିଧାୟକଙ୍କ ସହଯୋଗୀ ସୁଧାଂଶୁଙ୍କ ଲିଙ୍କ୍ ସାମ୍ନାକୁ ଆସିଥିଲା। ଯିଏକି ଆୟକର ଫାଙ୍କିଥିବା ସୂଚନା ରହିଛି। କୋଟି କୋଟି ଟଙ୍କାର ଆୟକର ଫାଙ୍କିଥିବାରୁ ଇଡି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ ସୁଧାଂଶୁ ହୋତା ପ୍ରଥମେ କେନ୍ଦୁଝର ଯୋଡା ଜିନ୍ଦଲ ସଂସ୍ଥାରେ ଚାକିରି କରିଥିଲେ। ଏହି ସମୟରେ ହେରାଫେରି କରିଥିଲେ।ପରେ ଏକ୍ସଲ ମାଇନିଂରେ ଚାକିରି କରିଥିଲେ। ଆଉ ସେଠାରେ ମଧ୍ୟ ହେରାଫେରି କରିଥିଲେ। ଆଉ ଚାକିରି ଛାଡି ପରେ ପରେ ଭୁବନେଶ୍ୱରୀ କୋଇଲା ଖଣି, ଏକ୍ସଏଲ ମାଇନିଂ, ଏସଆଇଟିଏଲ ଏବଂ ବିର୍ଲା ସହ ଯୋଡ଼ି ହୋଇଥିଲେ। ଏହାପରେ ସୁଧାଂଶୁ ନିଜ ପତ୍ନୀଙ୍କ ନାମରେ ସିମାଦ୍ରୀ ଟ୍ରାନ୍ସପୋର୍ଟ ଲିମିଟେଡ ନାମରେ ଏକ କମ୍ପାନୀ ତିଆରି କରିଥିଲେ। ଏହି କମ୍ପାନୀ ତିଆରି ପଛରେ ବିଧାୟକଙ୍କ ହାତ ଥିବା ସୂଚନା ରହିଛି। ସୁଧାଂଶଙ୍କ ଘରେ ଆୟକର ବିଭାଗ ରେଡ୍ କରିବା ପରେ ବିଧାୟକଙ୍କ ଲିଙ୍କ୍ ସାମ୍ନାକୁ ଆସିଥିଲା।

ବିଧାୟକ ବ୍ରଜ ପ୍ରଧାନ ଶୁକ୍ରବାର ସଂଧ୍ୟା ୭ଟା ୧୫ ସମୟରେ ଇଡି ଅଫିସରୁ ପାଖାପାଖି ୭ ଘଣ୍ଟା ପରେ ବାହାରିଥିଲେ। ସେ କହିଥିଲେ ୧୭ ତାରିଖ ଇଡିର ନୋଟିସ୍ ପାଇଥିଲେ। ଗୁରୁବାର ଆସିବାର ଥିଲା ହେଲେ ଅନ୍ୟ ଜରୁରୀ କାମ ଥିବାରୁ ସେ ଶୁକ୍ରବାର ଆସିଥିଲେ। ଯେଉଁ କାଗଜପତ୍ର ଇଡି ମାଗିଥିଲେ ସେ ଦେଇଛନ୍ତି ବୋଲି କହିଥିଲେ। ହେଲେ ନିର୍ବାଚନ ଆଗକୁ ଥିବାରୁ ଇଡି ଏଭଳି ନୋଟିସ କରିଛି ପ୍ରଶ୍ନକୁ ଖାରଜ କରିଥିଲେ। ତେବେ ଇଡି କଣ ପ୍ରଶ୍ନ କରିଥିଲା କେଉଁ କାରଣ ପାଇଁ କରିଥିଲା ସେ ନେଇ ବିଧାୟକ ମୁହଁ ଖୋଲିନଥିଲେ। କେବଳ କହିଥିଲେ ସମୟ ଆସିଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ।

ତେବେ ଇଡିର ଜଣେ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଇଡି ଏହାରି ଭିତରେ ବିଧାୟକ ବ୍ରଜ ପ୍ରଧାନଙ୍କ ସହଯୋଗୀ ଜିତୁ ଏବଂ ସୁଧାଂଶୁଙ୍କୁ ଜେରା ପାଇଁ ଡକାଇପାରେ।

 

 

 

 

Comments are closed.