ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟାଟି କୁଆଡ଼େ ଯିବ, କେତେ ତୀବ୍ରତା ରହିବ ଆକଳନ ହୋଇନି। ୭ ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟ ଚିତ୍ର ଆସିବ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର କହିଛି ଯେ ୬ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଏହା ୭ରେ ଲଘୁଚାପର ରୂପ ନେବ। ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତର ରୂପ ନେଇପାରେ। ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ। ଓଡ଼ିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇନି। ଲୋକମାନେ ବ୍ୟସ୍ତ ହୁଅନ୍ତୁନି ବୋଲି ସେ କହିଛନ୍ତି।
ଏହି ସମୟରେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବ।
ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ, ଏହା ଆସନ୍ତା ୯ ତାରିଖ ଦିନ ସାଇକ୍ଲୋନିକ୍ ଷ୍ଟର୍ମ ବା ଘୁର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ପ୍ରାରମ୍ଭରେ ଏହା ପ୍ରାୟ ଉତ୍ତର ଦିଗକୁ ବଙ୍ଗୋପସାଗର ଆଡକୁ ଗତି କରିବ। ତେବେ ଏହାର ପଥ ଏବଂ ତୀବ୍ରତା ଏବଂ ସ୍ଥଳଭାଗରେ ଏହାର ପ୍ରଭାବ ବାବଦରେ ସ୍ପଷ୍ଟ ହୋଇନି। ଥରେ ଲଘୁଚାପ ସୃଷ୍ଟି ହୋଇଗଲେ ଏହାର ପ୍ରଭାବ ବିଷୟରେ ବିସ୍ତୃତ ପୂର୍ବାନୁମାନ ପ୍ରଦାନ କହିବେ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଏହାର ପ୍ରଭାବରେ ପାଗ ଖରାପ ରହିବ ଏବଂ ତେଣୁ ମତ୍ସ୍ୟଜୀବୀମାନେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରକୁ ଯିବା ଉଚିତ ନୁହେଁ। ପୂର୍ବ ଉପକୂଳ ପାଇଁ ଏଭଳି ସତର୍କ ସୂଚନା ଜାରି କରାଯାଇ ନାହିଁ ଏବଂ କେବଳ ମତ୍ସ୍ୟଜୀବୀ ମାନଙ୍କୁ ସମୟ ପୂର୍ବରୁ ଫେରି ଆସିବାକୁ ଚେତାବନୀ ଦିଆଯାଇଛି।
Comments are closed.