Latest Odisha News

BREAKING NEWS

ରପ୍ତାନୀରେ ଉତ୍କର୍ଷତା ପାଇଁ ଇଇପିସି ଦ୍ୱାରା ଇମ୍ଫାକୁ ୨ଟି ଆୱାର୍ଡ ପ୍ରଦାନ

ଭୁବନେଶ୍ୱର: ରପ୍ତାନୀରେ ଉତ୍କର୍ଷତା ପାଇଁ ଇଇପିସି ଦ୍ୱାରା ଇମ୍ଫା ୨ଟି ପୁରସ୍କାରରେ ସମ୍ମାନିତ। ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ (ଇମ୍ଫା)କୁ ୨୦୧୯-୨୦ ଏବଂ ୨୦୨୦-୨୧ ମର୍ଯ୍ୟାଦାଜନକ ଇଇପିସି ଇଣ୍ଡିଆ ଇଷ୍ଟର୍ଣ୍ଣ ରିଜିୟନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି।

କୋଲକାତାରେ ଆୟୋଜିତ ଏହି ସମାରୋହର ୩୮ ଓ ୩୯ତମ ସଂସ୍କରଣରେ କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଭାରତର ଇଞ୍ଜିନିୟରିଂ ରପ୍ତାନୀ ପ୍ରୋତ୍ସାହନ ପରିଷଦ (ଇଇପିସି), ପକ୍ଷରୁ ଆୟୋଜିତ ଏହି ପୁରସ୍କାର ସମାରୋହରେ ରପ୍ତାନୀରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଭାରତର ଇଞ୍ଜିନିୟରିଂ ରପ୍ତାନୀ ଉଦ୍ୟୋଗ ରେ ମହତ୍ୱପୂର୍ଣ୍ଣ ଯୋଗଦାନ ନିମନ୍ତେ ସମ୍ମାନିତ କରାଯାଇଥାଏ। ଏହି ପୁରସ୍କାର ଗୁଣବତ୍ତା, ନବସୃଜନ ଏବଂ ଗ୍ରାହକ ସନ୍ତୁଷ୍ଟି ପାଇଁ ଇମ୍ଫା କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଉଥିବା ନିରନ୍ତର ଉଦ୍ୟମକୁ ପ୍ରତିଫଳିତ କରୁଛି।

ଏହି ପୁରସ୍କାର ସମାରୋହରେ ପଶ୍ଚିମବଙ୍ଗ ସରକାରଙ୍କ ଶିଳ୍ପ, ବାଣିଜ୍ୟ ଓ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡଃ ଶଶି ପାଞ୍ଜା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଇମ୍ଫାକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି।

୨୦୧୯-୨୦ ଏବଂ ୨୦୨୦-୨୧ ବିତ୍ତୀୟ ବର୍ଷରେ କୋରିଆ, ଜାପାନ ଏବଂ ତାଇୱାନ୍ ସମେତ ଦକ୍ଷିଣ-ପୂର୍ବ ଏସିଆରେ ଫେରୋକ୍ରୋମ୍ ରପ୍ତାନୀର ଅସାଧାରଣ ପ୍ରଦର୍ଶନ ପାଇଁ ଇମ୍ଫାକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ମହାମାରୀ ପରେ ସୃଷ୍ଟି ହୋଇଥିବା ଆହ୍ୱାନ ଗୁଡ଼ିକର ମୁକାବିଲା କରି ଏହି ସଫଳତା ଆଣିବା ଏକ ବିଶେଷ ଉପଲବ୍ଧି।

ମୋଟ ଉତ୍ପାଦନର ୯୦ ପ୍ରତିଶତ ରପ୍ତାନୀ ସହିତ ଇମ୍ଫା ପକ୍ଷରୁ ରପ୍ତାନୀ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭାରତର ଇଞ୍ଜିନିୟରିଂ ରପ୍ତାନୀ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ କମ୍ପାନୀକୁ ବୃହତ, ମଧ୍ୟମ, କ୍ଷୁଦ୍ର, ଲଘୁ ଏବଂ ବାଣିଜ୍ୟ ଭଳି ୫ଟି ବର୍ଗରେ ପୁରସ୍କୃତ କରାଯାଇଛି।

ଇଞ୍ଜିନିୟରିଂ କ୍ଷେତ୍ରରେ ବାଣିଜ୍ୟ ଓ ପୁଞ୍ଜିବିନିଯୋଗକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟ କରୁଥିବା ଇଇପିସି ଇଣ୍ଡିଆକୁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରାୟୋଜିତ କରାଯାଉଛି। ୧୯୫୫ ମସିହାରେ ପ୍ରତିଷ୍ଠିତ ଇଇପିସି ଇଣ୍ଡିଆରେ ୧୨,୦୦୦ ସଦସ୍ୟ ଅଛନ୍ତି, ଯେଉଁଥିରୁ ୬୦ ପ୍ରତିଶତ କ୍ଷୁଦ୍ର ଏବଂ ମଧ୍ୟମ ଧରଣ ଉଦ୍ୟୋଗକୁ ପ୍ରତିନିଧିତ୍ୱ କରୁଛନ୍ତି।

ଇଞ୍ଜିନିୟରିଂ ଏବଂ ନିର୍ମାଣ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ଭାରତୀୟ କମ୍ପାନୀକୁ ସମ୍ମାନିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହା ଭାରତର ସରକାର ଓ ଇଞ୍ଜିନିୟରିଂ କ୍ଷେତ୍ର ମଧ୍ୟରେ ସେତୁ ରୂପେ କାର୍ଯ୍ୟ କରିବା ସହିତ ଏକ ପରାମର୍ଶଦାତା ସଂସ୍ଥା ରୂପେ ନୀତିଗତ ନିଷ୍ପତ୍ତି ନେବାରେ ସକ୍ରିୟ ଯୋଗଦାନ କରିଥାଏ।

 

Comments are closed.