Latest Odisha News

BREAKING NEWS

ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଭାସୀ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାସ୍ତରରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସାଧାରଣ ପ୍ରଶାସନ ଓ ପୁଲିସ ପ୍ରଶାସନ କିଭଳି ମିଳିତ ଭାବରେ ଆସନ୍ତା ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବରେ ପରିଚାଳନା କରିବେ ସେ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଥିଲେ ।

ମତଦାତାଙ୍କ ସୁବିଧା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ମତଦାତା ମାର୍ଗଦର୍ଶିକା’ ନାମକ ଏକ ପକେଟ୍‌ ବୁକ୍‌ ରାଜ୍ୟର ସମସ୍ତ ପରିବାରକୁ ଯୋଗାଇ ଦିଆଯିବ । ଏହାକୁ ପଢ଼ି ସେମାନେ ମତଦାନ ବିଷୟରେ ଅତି ସହଜରେ ଜାଣିପାରିବେ । ଏହି ପକେଟ୍‌ ବୁକ୍‌ଟି ବିଏଲ୍‌ଓମାନଙ୍କ ଦ୍ୱାରା ସମସ୍ତ ପରିବାରକୁ ଯୋଗାଇ ଦିଆଯିବ । ମତଦାନ ହାର ବଢ଼ାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବହୁ ଅଭିନବ ପ୍ରୟାସ କରାଯାଉଛି । ସେସବୁକୁ ତୃଣମୂଳ ସ୍ତରରେ ଉଚିତ ରୂପେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମସ୍ତ ଜିଲ୍ଲାର ଏସ୍‌ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା କରି ନିର୍ବାଚନକୁ ସଂପୂର୍ଣ୍ଣ ରୂପେ ହିଂସାମୁକ୍ତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଭାସୀ ବୈଠକରେ ଜିଲ୍ଲାସ୍ତରୀୟ ଟ୍ରେନିଂ, ଇଭିଏମ୍‌ ସୁରକ୍ଷା, ନିର୍ବାଚନରେ ନିୟୋଜିତ ହେବାକୁ ଥିବା ବିଭିନ୍ନ ଟିମ୍‌ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ମଡେଲ୍‌ ପୋଲିଂ ବୁଥ୍‌ ବିଷୟରେ ଆଲୋଚନା କରାଯାଇ ସଖି ବୁଥ୍‌ (ସଂପୂର୍ଣ୍ଣ ରୂପେ ମହିଳା ପରିଚାଳିତ ବୁଥ୍‌), ଯୁବ କର୍ମଚାରୀ ପରିଚାଳିତ ବୁଥ୍‌ ଓ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍‌ଗୁଡ଼ିକ ବିଭିନ୍ନ ଜିଲ୍ଲାରେ କିଭଳି ଭାବରେ କାର୍ଯ୍ୟକାରୀ ହେବ ମୁଖ୍ୟ ନିର୍ବାଚନ ଅଧିକାରୀ ସେସବୁର ସମୀକ୍ଷା କରିଥିଲେ ।

ଏହି ବୈଠକରେ ରାଜ୍ୟ ପୋଲିସ ନୋଡାଲ ଅଧିକାରୀ ଶ୍ରୀ ସଞ୍ଜୟ କୁମାର (ଏଡ଼ିଜି) ମଧ୍ୟ ଯୋଗଦେଇ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହି ଆଭାସୀ ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାଏକ, ଶ୍ରୀ ଶତ୍ରୁଘ୍ନ କର, ଶ୍ରୀ ମିହିର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

Comments are closed.