Latest Odisha News

BREAKING NEWS

ହାଥରସ୍‌ ଅଘଟଣରେ ୮୭ ଛୁଇଁଲା ମୃତ୍ୟୁ ସଂଖ୍ୟା, ସଂସଦରେ ସମବେଦନା ଜଣାଇଲେ ମୋଦୀ

ହାଥରସ: ଉତ୍ତରପ୍ରଦେଶର ହାଥରସ ଭୋଳାବାବାଙ୍କ ସତସଙ୍ଗ ବେଳେ ଘଟିଥିବା ଦଳାଚକଟାରେ ବଢିଲା ମୃତ୍ୟୁ ସଂଖ୍ୟା । ୮୭ ଛୁଇଁଲା ମୃତ୍ୟୁ ସଂଖ୍ୟା । ସେପଟେ ହାଥରସ ଅଘଟଣ ଘଟଣା ସଂସଦରେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଘଟଣାକୁ ନେଇ ଚିନ୍ତା ପ୍ରକଟ ସହ ପରିବାରକୁ ସମବେଦନା ଜଣାଇଛନ୍ତି ମୋଦୀ । ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ୟୁପି ସରକାରଙ୍କ ସହ କେନ୍ଦ୍ର ନିରନ୍ତର ଯୋଗାଯୋଗରେ ଥିବା କହିଛନ୍ତି ମୋଦୀ ।

ସୂଚନା ଅନୁସାରେ, ହାଥରସର ସିକନ୍ଦର ରାଓ ଥାନା ଅଧୀନରେ ଥିବା ଏକ ଗାଁରେ ଏହି ଘଟଣା ଘଟିଛି। ସତସଙ୍ଗ ଚାଲିଥିବା ବେଳେ ଦଳଚକଟା ହୋଇ ୮୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହାକି ସାରା ଦେଶକୁ ସ୍ତବ୍ଧ କରିଦେଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ କୁହାଯାଉଛି । ଅନ୍ୟପଟେ ଘଟଣା ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ୟୁପି ସରକାର । ତା’ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସାମାଜିକ ଗଣମାଧ୍ୟମ ଏକ୍ସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଏହି ଘଟଣା ହୃଦୟ ବିଦାରକ। ସେ କହିଛନ୍ତି, ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ଘଟିଥିବା ଏହି ଦୁର୍ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଖବର ହୃଦୟ ବିଦାରକ। ଯେଉଁମାନେ ନିଜ ପରିବାର ସଦସ୍ୟଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ସୂଚନାଯୋଗ୍ୟ ଯେ, ନାରାୟଣ ଶଙ୍କର ହରିଙ୍କୁ ସେଠାରେ ଭୋଲେ ବାବା ବୋଲି କୁହାଯାଏ । ହାଥରସର ଫୁଲରାଇ ମୁଗଲଗାଧି ଗାଁରେ ସତସଙ୍ଗ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ସତସଙ୍ଗ କରୁଥିଲା ‘ମାନବ ମଙ୍ଗଳ ମିଳନ ସଦ୍‌ଭାବନା ସମାଗମ କମିଟି’ । ବହୁ ଦିନ ପୂର୍ବରୁ ଏହି ସତସଙ୍ଗ ପାଇଁ ପୋଷ୍ଟର ବ୍ଯାନର ଲଗାଯାଇଥିଲା । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ବେଳେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ।

Leave A Reply

Your email address will not be published.