Latest Odisha News

ସାଭରକରଙ୍କୁ ନେଇ ଇନ୍ଦିରା କ’ଣ କହିଥିଲେ, ରାହୁଲଙ୍କୁ ପଢିବାକୁ ଫଡନାଭିସଙ୍କ ପରାମର୍ଶ

ମୁମ୍ବାଇ: ବୀର ସାଭରକରକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ତେଜିଛି ମହାରାଷ୍ଟ୍ର ରାଜନୀତି। ବରିଷ୍ଠ ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜେଜେମା ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ବୀର ସାଭରକରଙ୍କୁ ନେଇ ଦେଇଥିବା ମତାମତ ପଢିବାକୁ ପରାମର୍ଶ ଦେଇଛନ୍ତି।

ଫଡନାଭିସ୍ ଟ୍ବିଟ୍ କରି କହିଛନ୍ତି ଯେ ରାହୁଲ ଗାନ୍ଧୀ ସାଭରକରଙ୍କୁ ଯେଉଁ ବିବୃତ୍ତି ଦେଇଛନ୍ତି ତାହା କେବଳ ଭୋଟ୍ ବ୍ୟାଙ୍କ ଉପରେ ଆଧାରିତ। ରାହୁଲ ଗାନ୍ଧୀ, ଆପଣକାଲି ମୋତେ ଏକ ଚିଠିର ଶେଷ ଧାଡ଼ି ପଢିବାକୁ ପରାମର୍ଶ ଦେଇଥିଲେ…। ଆଜି ମୁଁ ଆପଣଙ୍କୁ କିଛି ଦଲିଲ ପଠାଉଛି। ଯାହା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ (ଆପଣଙ୍କ ଜେଜେମା) ସାଭରକରଙ୍କୁ ନେଇ ଲେଖିଥିଲେ।

ଫଡନାଭିସ୍ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, ମହାରାଷ୍ଟ୍ର ରାଜନୀତିରେ ଏକ ବିଶେଷ ସ୍ଥାନ ଅଧିକାର କରିଥିବା ଶରଦ ପାୱାର ବୀର ସାଭରକରଙ୍କୁ ନେଇ କ’ଣ କୁହନ୍ତି, ତାହା ମଧ୍ୟ ପଢିବା ଓ ଶୁଣିବା ଦରକାର।

ମଙ୍ଗଳବାର ରାହୁଲ ଗାନ୍ଧୀ ମହାରାଷ୍ଟ୍ରରେ ଭାରତ ଯୋଡ ଯାତ୍ରା କରୁଥିବା ବେଳେ କହିଥିଲେ, ବ୍ରିଟିଶମାନଙ୍କ ପାଇଁ କାମ କରୁଥିଲେ ସାଭରକର। ବିଜେପି ଏବଂ ଆରଏସଏସ ଏହା ଜାଣିବା ଦରକାର। ସାଭରକର ବ୍ରିଟିଶମାନଙ୍କଠାରୁ ପେନସନ ନେଉଥିଲେ, ସେମାନଙ୍କ ପାଇଁ କାମ କରୁଥିଲେ ଏବଂ କଂଗ୍ରେସ ବିରୋଧରେ କାମ କରୁଥିଲେ।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶୁକ୍ରବାର ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ବାବଦରେ ସଫେଇ ଦେବାକୁ ଯାଇ କହିଛନ୍ତି ଯେ ରାହୁଲ ଗାନ୍ଧୀ ସାଭରକରଙ୍କୁ ଟାର୍ଗେଟ କରିନାହାଁନ୍ତି ବରଂ କେବଳ “ଐତିହାସିକ ତଥ୍ୟ” ଉପସ୍ଥାପନ କରିଛନ୍ତି। ଜୟରାମ ରମେଶ କହିଛନ୍ତି ଯେ ଉଦ୍ଧବ ଠାକୁରଙ୍କ ନେତୃତ୍ୱାଧୀନ ଶିବସେନା ରାହୁଲ ଗାନ୍ଧୀଙ୍କ ସାଭରକର ମତକୁ ସମର୍ଥନ ନକରିପାରନ୍ତି। କିନ୍ତୁ ଏହା ମହା ବିକାଶ ଆଘାଡି ମେଣ୍ଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭାରତ ଯୋଡ଼ ଯାତ୍ରା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଏବଂ ବିରୋଧୀ ଦଳ କେବଳ ଦେଶ ଭାଙ୍ଗି ପାରିବେ, ଏହାକୁ ଏକାଠି କରି ପାରିବେ ନାହିଁ ବୋଲି ସେ ଦାବି କରିଛନ୍ତି।

Comments are closed.