Latest Odisha News

BREAKING NEWS

ମାଡ଼ ମାରି ମୋବାଇଲ ଫୋନ ଲୁଟ ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣକୁ ମାଡ଼ ମାରି ମୋବାଇଲ ଫୋନ ଲୁଟ କରିବା ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ। ଏହି ସଜା ଶୁଣାଇଛନ୍ତି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୩ ର ବିଚାରପତି। ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ମାନସ ରଞ୍ଜନ ସାହୁ ଭରତପୁର ଥାନା ଅଞ୍ଚଳରେ ନିଜ ପରିବାର ସହ ରୁହନ୍ତି । ଗତ ୨୭ ତାରିଖ ମଧ୍ୟାହ୍ନରେ ସେ ବିଜୁ ପଟ୍ଟନାୟକ କଲେଜରୁ କ୍ଳାସ ସାରି ଘରକୁ ସାଇକେଲ ଯୋଗେ ଫେରିବା ବେଳେ, ଆଇଆରସି ଭିଲେଜସ୍ଥିତ ଓମଫେଡ଼ ଛକ ନିକଟରେ ଅଭିଯୁକ୍ତ ରଣଜିତ ଏବଂ ତାଙ୍କର ଜଣେ ସହଯୋଗୀ ଏକ ସ୍କୁଟି ଯୋଗେ ପଛ ପାଖରୁ ଆସି ତାଙ୍କୁ ଶକ୍ତ ଧକ୍କା ଦେଇଥିଲେ ।

ଏହି ଧକ୍କା ଯୋଗୁଁ ଅଭିଯୋଗକାରୀ ଜଣକ ସାଇକେଲ ସହ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଏବଂ ସହଯୋଗୀ ଅଭିଯୋଗକାରୀଙ୍କୁ ମାଡ଼ ମାରିବା ସହିତ ତାଙ୍କ ନିକଟରେ ଥିବା ଏକ ମୋବାଇଲ ଫୋନକୁ ବଳପୂର୍ବକ ଛଡାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ଅଭିଯୋଗକାରୀ ଯାଇ ନୟାପଲ୍ଲୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକାରୀ ମାନସ ରଞ୍ଜନ ସାହୁଙ୍କର ଏତାଲା ଆଧାରରେ ନୟାପଲ୍ଲୀ ଥାନା ଏକ ମାମଲା ରୁଜୁ କରାଯାଇଥିଲା ।

ଏହି ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଅଭିଯୁକ୍ତ ରଣଜିତ ପ୍ରଧାନକୁ ତୁରନ୍ତ ଗିରଫ କରାଗଲା। ଏହି ମାମଲାର ବିଚାର କରି ମାନ୍ୟବର ଅଦାଲତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ରଣଜିତ ପ୍ରଧାନକୁ ୧ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୫୦୦/- ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ସମୁଦାୟ ୮୨ଟି ମାମଲାରେ ଦୋଷୀ ମାନଙ୍କୁ ସଜା ଦିଆଯାଇସାରିଥିବା ବେଳେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ତରଫରୁ ଚଳିତ ବର୍ଷ ଏଯାବତ ୩୪ ଟି ମାମଲାରେ ଦୋଷୀଙ୍କୁ ସଜା ହୋଇଛି ।

Leave A Reply

Your email address will not be published.