କାମାକ୍ଷାନଗର:ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା । ଏହି ଘଟଣାର ତଦନ୍ତ କରି ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି।
ଅଭିଯୁକ୍ତମାନେ ହେଲେ ମହାବିରୋଡ଼ ଥାନା ବାଘମୁଣ୍ଡା ଗାଁର ସିପୁନ ପାତ୍ର (୨୫), ଟମ୍ପେଇ ଗାଁର ସନାତନ ନାଏକ (୫୦), କୁବେର ସିଂହ (୩୨) ଓ ଲକ୍ଷ୍ମୀଧର ନାଏକ (୩୯)।
ଢେଙ୍କାନାଳ ବନଖଣ୍ଡ ଅଧୀନ କଙ୍କଡ଼ାହାଡ଼ ବ୍ଲକ୍ ମହାବିରୋଡ଼ ରେଞ୍ଜର ଟମ୍ପେଇ ଗାଁ ନିକଟ ଅନନ୍ତପୁର ଜଙ୍ଗଲରୁ ଚଳିତ ମାସ ୧୦ ତାରିଖରେ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ମାସେ ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା ଓ ତାର ବୟସ ୬ରୁ ୭ ବର୍ଷ ହୋଇଥିବା ନେଇ ଆକଳନ କରାଯାଇଥିଲା । ତେବେ ମୃତ ହାତୀର ଦୁଇଟି ଯାକ ଦାନ୍ତ ଗାଏବ ହୋଇଥିବା ଜଣାପଡ଼ିବା ପରେ ବନ ବିଭାଗ ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତରେ ୪ ଜଣଙ୍କର ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା।
ମଙ୍ଗଳବାର ବନ ବିଭାଗର ସ୍ୱତନ୍ତ୍ର ଟିମ ୪ ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ଗିରଫ କରିଥିବା ବୁଧବାର କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଡିଏଫଓ ଲଳିତ କୁମାର ପାତ୍ର ସୂଚନା ଦେଇଛନ୍ତି ।
ଅଭିଯୁକ୍ତମାନେ ହାତୀକୁ ମାରି ନଥିବା କହିଛନ୍ତି। ସେମାନଙ୍କ କହିବାନୁଯାୟୀ, ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ଏକ ହାତୀ ମରିପଡ଼ିଥିବା ଦେଖିଥିଲେ। ପରେ ମୃତହାତୀର ଦାନ୍ତ କାଟିନେଇ ଅନନ୍ତପୁର ଜଙ୍ଗଲରେ ଲୁଚାଇ ରଖିଥିବା ମାନିଥିଲେ। ଅଭିଯୁକ୍ତଙ୍କ ସୂଚନା ଆଧାରରେ ବନ ବିଭାଗ ଲୁଚାଇ ରଖାଯାଇଥିବା ସ୍ଥାନରୁ ଦୁଇଟିଯାକ ହାତୀଦାନ୍ତ ଜବତ କରିଛି। ତେବେ ହାତୀ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ଏବଂ ଏ ଦିଗରେ ତଦନ୍ତ ଜାରି ରହିଛି ।


Comments are closed.