Latest Odisha News

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ

ଡର୍ବାନ: ଏଠାରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଟସ ପକାଯାଇ ନ ଥିଲା କିମ୍ବା ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଆଗକୁ ଟି୨୦ ବିଶ୍ୱକପ ହେବାକୁ ଥିବାରୁ ଉଭୟ ଟିମ ସେମାନଙ୍କ ଶ୍ରେଷ୍ଠ ଏକାଦଶ ପାଇଁ ଯୋଜନା ଆରମ୍ଭ କରି ଦେଇଛନ୍ତି । ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ଅନୁଧ୍ୟାନ କରି ଟିମ ଇଣ୍ଡିଆ ସିନିୟର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଟି୨୦ ବିଶ୍ୱକପରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ । ଭାରତ ସୂର୍ଯ୍ୟକୁମାର ଯାଦବ ଓ ଦକ୍ଷିଣ ଆଫ୍ରିକା ଆଇଡେନ ମାର୍କରାମଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।

ସିରିଜରେ ୩ଟି ଟି୨୦ ମ୍ୟାଚ ଖେଳାଯିବ । ବାକି ୨ଟି ମ୍ୟାଚ ଯଥାକ୍ରମେ କ୍ୱେବାରହ ଓ ଜୋହାନ୍ସବର୍ଗରେ ଖେଳାଯିବ । ଯୁବ ଖେଳାଳିଙ୍କୁ ନେଇ ଗଠିତ ଦୁଇ ଟିମ ମଧ୍ୟରେ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଦେଖିବା ଆଶା ରଖିଥିବା ପ୍ରଶଂସକ ନିରାଶ ହୋଇଛନ୍ତି । ଶେଷ ପର୍ଯ୍ୟନ୍ତ ଷ୍ଟାଡିୟମରେ ଛତା ଧରି ପ୍ରଶଂସକମାନେ ମ୍ୟାଚ ଆରମ୍ଭ ହେବା ନେଇ ଆଶାରେ ବସି ରହିଥିବା ଦେଖିବାକୁ ମିଳିଥିଲା ।

Comments are closed.