ନୂଆଦିଲ୍ଲୀ:ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟର ଫାଇନାଲ୍ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ୍ ସକାଳ ୧୦:୦୦ଟାରେ ଆରମ୍ଭ ହେବ । ତେବେ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ୟ୍ୟାୟରେ ଏହି ଗ୍ରାଉଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚାରୋଟିଯାକ କ୍ୱାଟର ଫାଇନାଲ୍ ମ୍ୟାଚ ବାତିଲ୍ କରିବାକୁ ପଡ଼ିଥିଲା । ଯଦିଓ ଦୁଇଟିଯାକ ସେମିଫାଇନାଲ୍ ମ୍ୟାଚ୍ର ସ୍ପଷ୍ଟ ଫଳାଫଳ ଆସିଛି, କିନ୍ତୁ ଶନିବାର ଫାଇନାଲ୍ ମ୍ୟାଚ୍ରେ ବର୍ଷା ବାଧାସୃଷ୍ଟି କଲେ ବିଜେତା କିଏ ହେବ? କାରଣ ଏହି ମହାମୁକାବିଲା ପାଇଁ କୌଣସି ରିଜର୍ଭ ଡେ ରଖାଯାଇ ନାହିଁ । ପୁରୁଷ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେର ବ୍ୟବସ୍ଥା ନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଯଦି ବର୍ଷା ଯୋଗୁଁ ଫାଇନାଲ୍ ମ୍ୟାଚ୍ ବାତିଲ୍ ହୁଏ, ତେବେ ଭାରତ ଓ ପାକିସ୍ତାନଙ୍କୁ ଯୁଗ୍ମ ଭାବେ ଗୋଲ୍ଡ ମେଡାଲ ପ୍ରଦାନ କରାଯିବ । ଏହି ସମାନ ନିୟମ ତୃତୀୟ ସ୍ଥାନ ବା ବ୍ରୋଞ୍ଜ ମେଡାଲ୍ ମ୍ୟାଚ୍ ପାଇଁ ମଧ୍ୟ ଲାଗୁ ହେବ ।
ଯଦି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାତିଲ୍ ହୁଏ, ତେବେ ଦୁଇ ଟିମ୍କୁ ଯୁଗ୍ମ ଭାବେ ବ୍ରୋଞ୍ଜ ମେଡାଲ୍ ଦିଆଯିବ । ୨୦୨୩ ଏସିଆନ୍ ଗେମ୍ସରେ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା ଥିଲା । ଆଫଗାନିସ୍ତାନ ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ ଆଫଗାନିସ୍ତାନ ୧୮.୨ ଓଭରରେ ୧୧୨/୫ ରନ୍ କରିଥିବା ବେଳେ ବର୍ଷା ଆସିଯାଇଥିଲା ଏବଂ ଖେଳ ପୁଣି ଆରମ୍ଭ ହୋଇପାରି ନଥିଲା । ସେତେବେଳେ ନିୟମ ଅନୁସାରେ ଉଚ୍ଚ ଆଇସିସି ରାଙ୍କିଙ୍ଗ୍ ଆଧାରରେ ଭାରତୀୟ ଟିମ୍କୁ ସିଧାସଳଖ ଗୋଲ୍ଡ ମେଡାଲ୍ ବିଜେତା ଘୋଷଣା କରାଯାଇଥିଲା । ତେବେ ଏଥର ରାଙ୍କିଙ୍ଗ୍ର ଫାଇଦା କୌଣସି ଟିମ୍କୁ ମିଳିବ ନାହିଁ । ବର୍ତ୍ତମାନର ୨୦୨୬ ସଂସ୍କରଣରେ କ୍ୱାଟର ଫାଇନାଲ୍ ପର୍ୟ୍ୟନ୍ତ ଏହି ନିୟମ ଚାଲିଥିଲା, ଯେଉଁଠାରେ ମ୍ୟାଚ୍ ବାତିଲ୍ ହେବା ପରେ ଶୀର୍ଷ ରାଙ୍କିଙ୍ଗ୍ ଥିବା ଟିମ୍ଗୁଡ଼ିକ ସେମିଫାଇନାଲ୍ରେ ପହଞ୍ଚିଥିଲେ । କିନ୍ତୁ ଫାଇନାଲ୍ ଏବଂ ବ୍ରୋଞ୍ଜ ମେଡାଲ୍ ମ୍ୟାଚ୍ ପାଇଁ ଏହି ନିୟମକୁ ବଦଳାଯାଇଛି ଏବଂ ରାଙ୍କିଙ୍ଗ୍ ଆଧାରରେ ବିଜେତା ସ୍ଥିର କରିବା ପରିବର୍ତ୍ତେ ପଦକ ଭାଗ କରିବା ନିୟମ ଲାଗୁ କରାଯାଇଛି ।

