ନୂଆଦିଲ୍ଲୀ: ଫେବୃୟାରୀ ୧୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ୱକପ ୨୦୨୬ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏହି ହାଇ ଭୋଲଟେଜ ମୁକାବିଲା ପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ତେବେ କେତେଗୁଡିଏ ସମସ୍ୟା ଟିମ ଇଣ୍ଡିଆର ମୁଣ୍ଡବିନ୍ଧାର କାରଣ ସାଜିଛି । ଷ୍ଟାର ତଥା ବିସ୍ଫୋରକ ଓପନର ଅଭିଷେକ ଶର୍ମାଙ୍କ ଫିଟନେସ ନେଇ ଏବେ ବି ସନ୍ଦେହ ଲାଗି ରହିଛି । ସେ ଏହି ମ୍ୟାଚରେ ଖେଳିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ପରୋକ୍ଷରେ ସେ ଖେଳି ନ ପାରନ୍ତି ବୋଲି କହିଛନ୍ତି । ଈଶାନ କିଶାନ ଓ ସଞ୍ଜୁ ସାମସନ ଇନିଂସ ଓପନ କରିବେ ।
ସଞ୍ଜୁଙ୍କ ଖରାପ ଫର୍ମ ମଧ୍ୟ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ସେହିପରି ରିଙ୍କୁ ସିଂ ମଧ୍ୟ ତାଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହାନ୍ତି । ପ୍ରଥମ ମ୍ୟାଚରେ ୧୪ ବଲରେ ୬ ଓ ଦ୍ୱିତୀୟ ମ୍ୟାଚରେ ୬ ବଲରେ ୧ ରନ କରିବାକୁ ସକ୍ଷମ ହୋଇଛନ୍ତି । ପାକିସ୍ତାନ ବିପକ୍ଷରେ ତାଙ୍କୁ ଭଲ ଇନିଂସ ଖେଳିବାକୁ ପଡିବ । ବିପକ୍ଷ ଦଳର ସ୍ପିନର୍ସଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ ବାରମ୍ବାର ବିଫଳ ହେଉଛନ୍ତି । ଆମେରିକା ଓ ନାମ୍ବିଆ ବିପକ୍ଷ ମ୍ୟାଚ ଏହାର ଜ୍ୱଳନ୍ତ ଉଦାହରଣ । କଲମ୍ବୋରେ ଏହି ମ୍ୟାଚ ଖେଳାଯିବାକୁ ଥିବାରୁ ଟିମ ଇଣ୍ଡିଆ ପାଇଁ ସ୍ପିନ ଟ୍ରାକ ସମସ୍ୟା ସୃଷ୍ଟି କରିପାରେ । ପାକିସ୍ତାନ ସ୍ପିନରମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ପାୱାର ପ୍ଲେରେ ଭାରତୀୟ ବୋଲର ବର୍ତମାନ ସୁଦ୍ଧା ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ପାକିସ୍ତାନ ନିକଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଥିବାରୁ ପାୱାର ପ୍ଲେ ବୋଲିଂ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।