ଚେନ୍ନାଇ: ଚଳିତ ଟି୨୦ ବିଶ୍ୱକପର ଗୁରୁବାର ଅନୁଷ୍ଠିତ ଜିମ୍ବାୱେ ବିପକ୍ଷ ସୁପର ଏଇଟ ମୁକାବିଲାରେ ଭାରତୀୟ ବ୍ୟାଟ୍ସମ୍ୟାନ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ସେମିଫାଇନାଲ ପ୍ରବେଶ ଦୃଷ୍ଟି କୋଣରୁ ଏହି ମ୍ୟାଚରେ ଭାରତ ପାଇଁ ବିଜୟ ଜରୁରୀ । ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୨୫୬ ରନ ସଂଗ୍ରହ କରିଛି । ଟପ ଅର୍ଡରରେ ସମସ୍ତ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଅଭିଷେକ ଶର୍ମା ଫର୍ମକୁ ଫେରି ୩୦ ବଲରେ ୫୫ ରନ କରିଥିଲେ । ସଞ୍ଜୁ ସାମସନ ୨୪, ସୂର୍ଯ୍ୟକୁମାର ଯାଦବ ୩୩ ଓ ଈଶାନ କିଶାନ ୩୮ ରନ କରିଥିଲେ ।
ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା ଦଳର ସ୍କୋରକୁ ୨୫୦ରୁ ଉପରକୁ ନେଇ ଯାଇଥିଲେ । ହାର୍ଦ୍ଦିକ ୨୩ ବଲରୁ ୫୦ ଓ ତିଳକ ୧୬ ବଲରୁ ୪୪ ରନ କରି ଅପରାଜିତ ରହିଥିଲେ । ଟସ ଜିିତି ଜିମ୍ବାୱେ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ରିଚାର୍ଡ ନାଗଭରା, ବ୍ଲେସିଂଙ୍ଗ ମୁଜରବାନୀ ଓ ସିକନ୍ଦର ରାଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଭାରତ ଏହି ମ୍ୟାଚରେ ଜିମ୍ବାୱେ ଏବଂ ପରବର୍ତୀ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କଲେ ସେମିରେ ପ୍ରବେଶ କରିବ । ଦକ୍ଷିଣ ଆଫ୍ରିକା ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ଆଶା ଉଜ୍ଜୀବୀତ କରିଛି ।