Latest Odisha News

ଅଲିମ୍ପିକ୍ସ: ଯାହା ଆଜି ପର୍ଯ୍ୟନ୍ତ ହୋଇନି, ତାହା ଏଥର ହେବ କି

ନୂଆଦିଲ୍ଲୀ: ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ବିଶ୍ୱର କ୍ରୀଡା ମହାକୁମ୍ଭ । ପ୍ୟାରିସରେ ଅଲିମ୍ପିକ୍ସର ବିଗୁଲ ବାଜିବା ମାତ୍ରେ ୧୦ ହଜାରରୁ ଊର୍ଦ୍ଧ୍ୱ ଆଥଲେଟ ପଦକ ହାସଲ ପାଇଁ ଦକ୍ଷତା ପ୍ରଦର୍ଶନ କରିବେ । ଭାରତ ପକ୍ଷରୁ ଏଥର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ଗତ ସଂସ୍କରଣରେ ଭାରତୀୟ ଆଥଲେଟ ଭଲ ପ୍ରଦର୍ଶନ କରି ୭ଟି ପଦକ ଜିତିଥିଲେ । ତଥାପି ଯାହା ଆଜି ପର୍ଯ୍ୟନ୍ତ ହୋଇପାରିନି, ଏଥର ସେଥିପାଇଁ ଟିମଇଣ୍ଡିଆ ନିଶ୍ଚିତ ଭାବେ ଉଦ୍ୟମ କରିବେ । ଏ ପର୍ଯ୍ୟନ୍ତ ଭାରତ ଗୋଟିଏ ଅଲିମ୍ପିକ୍ସରେ ୧ରୁ ଅଧିକ ସ୍ୱର୍ଣ୍ଣ ଜିତିପାରି ନାହିଁ ।

ପ୍ୟାରିସ ଗେମ୍ସରେ ଭାରତ ପ୍ରଥମେ ଏହି ଧାରାକୁ ଭାଙ୍ଗିବାକୁ ଚାହିଁବ । ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଏଥର ସ୍ୱର୍ଣ୍ଣ ଜିତି ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ୨ଟି ସ୍ୱର୍ଣ୍ଣଜ ଜିତିବା ଗୌରବ ଅର୍ଜନ କରିବେ । ସେହିପରି କୌଣସି ମହିଳା ଖେଳାଳି ଆଜି ପର୍ଯ୍ୟନ୍ତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିପାରି ନାହାନ୍ତି । ମହିଳା ପ୍ରତିଯୋଗୀ ଓଭରାଲ ୨ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା କରାଯାଉଛି ।

ବକ୍ସିଂରେ ଭାରତ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିବ । ନିଖିତ ଜରୀନ, ଲଭଲୀନା ବୋରେଗେହେନଙ୍କ ନିକଟରୁ ଏଥର ମହିଳା ବକ୍ସିଂରେ ସ୍ୱର୍ଣ୍ଣ ପଦକ ଆଶା କରାଯାଉଛି । ସେହିପରି ତୀରନ୍ଦାଜରେ ମଧ୍ୟ ଭାରତ ପ୍ରଥମ ପଦକ ହାସଲ ପାଇଁ ଉଦ୍ୟମ କରିବ । ଏଥର ୧୦ ପଦକ ହାସଲ କରି ଭାରତ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହିଁବ । ଅଲିମ୍ପିକ ଇତିହାସରେ ଭାରତ ଓଭରାଲ ୩୫ ପଦକ ଜିତିଛି । ଏଥିରେ ୧୦ ସ୍ୱର୍ଣ୍ଣ ସାମିଲ । ୧୧ ଅଗଷ୍ଟ ବେଳକୁ ଭାରତ କେତେ ପଦକ ଜିତି ପ୍ରଶଂସକଙ୍କ ମନ ରଖିବ ତାହା ଦେଖିବା କଥା ।

Comments are closed.