Latest Odisha News

ଟି୨୦ ବିଶ୍ୱକପରେ ପାକିସ୍ତାନ ଉପରେ ଭାରତର ପ୍ରଭୂତ୍ୱ ଜାରୀ

ନ୍ୟୁୟର୍କ: ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଉପରେ ଭାରତ ତାର ପ୍ରଭୂତ୍ୱ ଜାରୀ ରଖିଛି । ଓଭରାଲ ୮ଟି ମୁକାବିଲାରୁ ଭାରତର ଏହା ୭ମ ବିଜୟ । ସେହିପରି ଟି୨୦ରେ ଉଭୟ ଦଳ ମଧ୍ୟରେ ୧୩ଟି ମ୍ୟାଚ ଖେଳାଯାଇଛି । ଭାରତ ୧୦ ଓ ପାକିସ୍ତାନ ୩ ମ୍ୟାଚରେ ବିଜୟୀ ହୋଇଛି । ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏହି ହାଇ ଭୋଲଟେଜ ମୁକାବିଲାରେ ଭାରତ ବାଜି ମାରିଥିଲା । ବୋଲରଙ୍କୁ ସୁହାଉଥିବା ପିଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୧୯ ରନ କରିବାକୁ ସକ୍ଷମ ହୋଇଥିଲା । ରିଷଭ ପନ୍ତ ୩୧ ବଲରେ ସଂଘର୍ଷପୂର୍ଣ୍ଣ ୪୨ ରନ କରିଥିଲେ ।

୧୨୦ ରନର ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଆରମ୍ଭରୁ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ମାତ୍ର ଭାରତୀୟ ବୋଲର ଲୟକୁ ଫେରିବା ପରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଯଶପ୍ରୀତ ବୁମରାହ ୪ ଓଭରରେ ୧୪ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଏକଦା ପାକିସ୍ତାନକୁ ୩୦ ବଲରେ ୩୭ ରନ ଆବଶ୍ୟକ ହେଉଥିଲା ମାତ୍ର ନାଟକୀୟ ଢ଼ଙ୍ଗରେ ଭାରତ ୬ ରନରେ ବିଜୟ ହାସଲ କରିଥିଲା । ଏହି ବିଜୟ ସହ ଭାରତ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ପାକିସ୍ତାନ ବିପଦରେ ପଡି ଯାଇଛି । ଟି୨୦ ବିଶ୍ୱକପରେ ଶ୍ରୀଲଙ୍କା ପରେ ଭାରତ ୧୨୦ ରନର ଟାର୍ଗେଟକୁ ଡିଫେଣ୍ଡ କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.