Latest Odisha News

ବିଜୟରୁ ଟି-୨୦ ସିରିଜ ଯାତ୍ରା ଆରମ୍ଭ କଲା ଭାରତ: ଶେଷ ପର୍ଯ୍ୟନ୍ତ ଲଢ଼ି ମାତ୍ର ଦୁଇ ରନରେ ହାରିଲା ଶ୍ରୀଲଙ୍କା

ମୁମ୍ବାଇ: ବିଜୟରୁ ଟି-୨୦ ସିରିଜ ଯାତ୍ରା ଆରମ୍ଭ କଲା ଭାରତ। ଶେଷ ପର୍ଯ୍ୟନ୍ତ ଲଢ଼ି ମାତ୍ର ଦୁଇ ରନରେ ହାରିଲା ଶ୍ରୀଲଙ୍କା। ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ମହାରାଷ୍ଟ୍ରର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର ଖେଳି ୫ ୱିକେଟ ବିନିମୟରେ ୧୬୨ ରନ୍ କରିଥିଲା। ୧୬୩ ରନ୍‌ର ଟାର୍ଗେଟ୍‌ ନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମାତ୍ର ୨ ରନ୍‌ରେ ସିରିଜର ପ୍ରଥମ ମ୍ୟାଚ୍ ହାରିଯାଇଛି।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତର କୌଣସି ବ୍ୟାଟର ଆଖିଦୃଶିଆ ବ୍ୟାଟିଂ କରିପାରି ନଥିଲେ। ଆଜି ଭାରତ ଭାରତ ପକ୍ଷରୁ ଦୀପକ ହୁଡ୍ଡା ସର୍ବାଧିକ ୪୧* ରନ୍ କରିଥିବା ବେଳେ ଇଶାନ କିଶନ ୩୭ ଓ ଅକ୍ସର ପଟେଲ ୩୧* ରନ୍ କରିଥିଲେ।

ଆଜିର ମ୍ୟାଚ୍‌ ଓପନିଂ ଯୋଡ଼ି ଫେଲ୍ ମାରିଥିଲା। ୨.୩ ବଲ୍‌ରେ ୨୭ ରନ୍ ବେଳକୁ ଭାରତ ତାର ପ୍ରଥମ ୱିକେଟ୍ ହରାଇଥିଲା। ଶୁଭମନ ଗିଲ୍‌ ମାତ୍ର ୭ ରନ୍‌ କରି ଆଉଟ୍ ହୋଇଥିଲେ। ସେହିପରି ଆଜି ସୂର୍ଯ୍ୟଙ୍କ ତେଜ ବି ଫିକା ପଡ଼ିଯାଇଥିଲା। ସେ ମଧ୍ୟ ଆଜି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ସୂର୍ଯ୍ୟ କୁମାର ଯାଦବ ୭ ରନ୍ କରି କ୍ୟାଚ୍ ଆଉଟ୍ ହୋଇଯାଇଥିଲେ।

ଅନ୍ୟପଟେ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବଡ଼ ସ୍କୋର କରିବାର ବିଫଳ ହେବା ସହିତ ସେ ମାତ୍ର ୨୭ ବଲ୍‌ରେ ୨୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ସଞ୍ଜୁ ସାମସନଙ୍କ ବ୍ୟାଟ୍ ବି ଆଜି ଚାଲି ନଥିଲା। ସେ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଶେଷ ବେଳକୁ ଦୀପକ ହୁଡ୍ଡା ଓ ଅକ୍ସର ପଟେଲ୍‌ ଟିମ୍‌କୁ ସମ୍ବାଳି ଦଳୀୟ ସ୍କୋରକୁ ୧୬୨ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଉଭୟ ଖେଳାଳି ନଟ୍‌ଆଉଟ୍ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶଙ୍କା, ଏମ୍ ଥିକ୍‌ଶାନା, ସି କରୁଣାରତ୍ନେ, ଧନଞ୍ଜୟ ଡି ସିଲ୍‌ଭା ଓ ଓ୍ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ତେବେ ରଜିଥା ୱିକେଟ୍ ନେବାର ବିଫଳ ହୋଇଥିଲେ।

୧୬୩ ରନ୍‌ର ଟାର୍ଗେଟ୍ ନେଇ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଭଲ ଆରମ୍ଭ ଦେଇପାରିନଥିଲା। ଦଳୀୟ ସ୍କୋର ୧୨ ହୋଇଥିବା ବେଳେ ପ୍ରଥମ ଓଭର ଶେଷ ବଲ୍‌ରେ ଦଳର ୱିକେଟ୍ ପଡ଼ିବା ଆରମ୍ଭ ହୋଇଥିଲା। ଦଳ ପକ୍ଷରୁ ପ୍ରଥମେ ପାଥୁମ ନିଶାଙ୍କ(୧) ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଧନଞ୍ଜୟ ଡି- ସିଲ୍‌ଭା(୮), ଚରିତ ଅସଲଙ୍କା(୧୨), କୁଶାଲ ମେଣ୍ଡିସ (୨୮), ଭାନୁକା ରାଜପାକ୍ଷେ(୧୦) ରନ୍ କରିଥିଲେ। ତେବେ ଦଶୁନ ସନକା ଦଳ ପାଇଁ ଜବରଦସ୍ତ ବ୍ୟାଟିଂ କରି ସର୍ବାଧିକ ୪୫ ରନ୍ କରିଥିବା ବେଳେ  ୱାନିନ୍ଦୁ ହସରଙ୍ଗା ୨୧ ରନ୍ କରି ଆଉଟ ହୋଇଥିଲେ।

ତେବେ ଶେଷ ଦୁଇ ଓଭରରେ ଦଳକୁ ଜିତିବାକୁ ୩୦ ରନ୍ ଥିବା ବେଳେ ଚାମିକା କରୁଣାରତ୍ନେ ଓ କଶୁନ ରଜିଥା ବ୍ୟାଟିଂ ଜାରି ରଖିଥିଲେ। ଉଭୟଙ୍କ ବ୍ୟାଟିଂରେ ଶେଷ ଓଭର ବେଳକୁ ମ୍ୟାଚ୍ ଜିତିବାକୁ ୧୨ ରନ୍‌ର ଆବଶ୍ୟକ ଥିଲା। ଶେଷ ଓଭର ବୋଲିଂ କରିବାକ ଆସିଥିବା ଅକ୍ସର ପଟେଲଙ୍କୁ ୬ ମାରିଥିଲେ କରୁଣାରତ୍ନେ। ମ୍ୟାଚ୍ ଆହୁରି ରୋମାଞ୍ଚକର ହୋଇଯାଇଥିଲା। ଖେଳ ମାତ୍ର ଗୋଟିଏ ବାଉଣ୍ଡ୍ରୀର ଥିଲା। ଦୁଇ ବଲ୍‌ରେ ୫ରନ୍ କରିବା ଦରକାର ଥିଲା। ହେଲେ ପଞ୍ଚମ ବଲ୍‌ରେ କରୁଣାରତ୍ନେ ସିଙ୍ଗଲ ନେଉଥିବା ବେଳେ ରଜିଥା ରନ୍‌ଆଉଟ୍ ହୋଇଯାଇଥିଲେ। ଶେଷରେ ଦଳକୁ ଜିତିବାକୁ ଗୋଟିଏ ବଲ୍‌ରେ ମାତ୍ର ୪ ରନ୍‌ର ଆବଶ୍ୟକତା ଥିଲା। ରଜିଥାଙ୍କ ସ୍ଥାନରେ ଦିଲ୍‌ସାଲନ ମଦୁଶଙ୍କା ବ୍ୟାଟିଂ ପାଇଁ ଆସିଥିଲେ।  ହେଲେ ସେ ବି ରନ୍‌ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ଆଉ ଭାରତ ୨ ରନ୍‌ରେ ସିରିଜର ପ୍ରଥମ ମ୍ୟାଚ୍ ଜିତି ନେଇଛି।

ଭାରତ ପକ୍ଷରୁ ଶିବମ ମାଭି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଉମ୍ରାନ ମଲ୍ଲିକ ଓ ହର୍ଷଲ ପଟେଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ବି ସଫଳତା ମିଳିପାରି ନଥିଲା।

Leave A Reply

Your email address will not be published.