Latest Odisha News

BREAKING NEWS

ଗ୍ଲୋବାଲ ଟାଇମ୍ସର ଏକ୍ସ ଆକାଉଣ୍ଟକୁ ବ୍ଲକ କଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ଆକାଉଣ୍ଟକୁ ଦେଶରେ ପ୍ରତିବନ୍ଧ ଲଗାଇଛନ୍ତି।

ଗ୍ଲୋବାଲ ଟାଇମ୍ସ, ଚୀନ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଏକ ପ୍ରମୁଖ ଖବର ସରବରାହ ସଂସ୍ଥା । ଏହି ଆକାଉଣ୍ଟରୁ ବାରମ୍ବାର ଭାରତ ବିରୋଧୀ ଖବର ଓ ମନ୍ତବ୍ୟ ପ୍ରକାଶ କରି ଆସୁଛି। ଖାସକରି ଭାରତ-ଚୀନ ସୀମା ବିବାଦ, ଅରୁଣାଚଳ ପ୍ରଦେଶ ଏବଂ କଶ୍ମୀର ଭଳି ସମ୍ବେଦନଶୀଳ ବିଷୟରେ ବିଭ୍ରାନ୍ତିକାରୀ ସୂଚନା  ।  ଯାହା ପ୍ରୋପାଗାଣ୍ଡା ପ୍ରଚାର ପାଇଁ ଉଦ୍ଦିଷ୍ଟ ରହିଛି। ସରକାରଙ୍କ ତରଫରୁ ଏ ସମ୍ପର୍କରେ ଆନୁଷ୍ଠାନିକ ବିବୃତି ଜାରି ହୋଇନାହିଁ, ତେବେ ଏହି ନିଷେଧାଦେଶ ଆଇଟି ଆଇନର ଧାରା ୬୯ଏ ଅନୁଯାୟୀ ଲାଗୁ ହୋଇଥିବା ଅନୁମାନ କରାଯାଉଛି। ଏହି ଧାରା ଜାତୀୟ ସୁରକ୍ଷା, ସାର୍ବଜନୀନ ଶୃଙ୍ଖଳା ପାଇଁ ଲାଗୁ ହୁଏ।

ଏହି ପଦକ୍ଷେପର ମୁଖ୍ୟ କାରଣ ହେଉଛି ଗ୍ଲୋବାଲ ଟାଇମ୍ସର ଭାରତ ବିରୋଧୀ ବିଷୟବସ୍ତୁ। ଏହା ଲଦାଖ ଓ ଅରୁଣାଚଳ ପ୍ରଦେଶ ସମ୍ପର୍କିତ ଘଟଣାଗୁଡ଼ିକରେ ଚୀନ ସରକାରଙ୍କ ଏକପାଖିଆ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରି ଭାରତର ଅନ୍ତର୍ଜାତୀୟ ଛବିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛି। ବିଶେଷଜ୍ଞଙ୍କ ମତରେ, ଏଭଳି ବିଦେଶୀ ଗଣମାଧ୍ୟମ ପ୍ଲାଟଫର୍ମ ଡିଜିଟାଲ ମାଧ୍ୟମରେ ଭାରତରେ ସୂଚନା ଯୁଦ୍ଧକୁ ଉସକାଉଛି, ଯାହା ସାଇବର ସୁରକ୍ଷା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି।

ବର୍ତ୍ତମାନ ଭାରତରେ X ପ୍ଲାଟଫର୍ମରେ ଗ୍ଲୋବାଲ ଟାଇମ୍ସର ଆକାଉଣ୍ଟ ଖୋଲିବାକୁ ଚେଷ୍ଟା କଲେ ଏକ ବିଜ୍ଞପ୍ତି ଦେଖାଯାଉଛି, ଯେଉଁଥିରେ ଲେଖାଅଛି: “ଆଇନଗତ ଆବଶ୍ୟକତା ଅନୁଯାୟୀ ଏହି ଆକାଉଣ୍ଟ ଭାରତରେ ବ୍ଲକ କରାଯାଇଛି।” ଏହା ସୂଚାଏ ଯେ ଭାରତ ସରକାରଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଗତ କିଛି ବର୍ଷ ଧରି ଭାରତ ସରକାର ବିଦେଶୀ ପ୍ରୋପାଗାଣ୍ଡା ଓ ଦେଶ ବିରୋଧୀ ଡିଜିଟାଲ କାର୍ଯ୍ୟକଳାପ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଟିକଟକ, ପବଜି ଭଳି ଅନେକ ଚାଇନିଜ ଆପକୁ ଜାତୀୟ ସୁରକ୍ଷା କାରଣରୁ ପ୍ରତିବନ୍ଧ ଲଗାଯାଇଛି। ଏବେ ଗଣମାଧ୍ୟମ ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ମଧ୍ୟ କଡ଼ା ନଜର ରଖାଯାଉଛି ।

Comments are closed.