ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏକକାଳୀନ ୨ଟି ସିରିଜ ପାଇଁ ଖେଳାଳି ଚୟନ କରିବା ନିମନ୍ତେ ଯୋଜନା କରୁଛି । ଯଦି ଏହା ହୁଏ ତେବେ ୩୦ଜଣ ଖେଳାଳିଙ୍କୁ ବଛାଯିବ । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଓ ଏସିଆନ ଗେମ୍ସ ପ୍ରାୟତଃ ସମାନ ସମୟରେ ହେବା ସମ୍ଭାବନା ରହିଛି । ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଗୋଟିଏ ଟିମ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଲାଗି ଆଉ ଏକ ଟିମ ବଛା ଯିବ । ଭାରତ ଏସିଆନ ଗେମ୍ସର ଗତ ସଂସ୍କରଣରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏସିଆନ ଗେମ୍ସ ୧୯ ସେପ୍ଟମ୍ବରରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ହେବ ।
ପୂର୍ବରୁ ୨୦୨୧ରେ ଭାରତ ବିରାଟ କୋହଲିଙ୍କ ନେତୃତ୍ୱରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ପରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲା । ଅପରପକ୍ଷରେ ଶିଖର ଧାୱନଙ୍କ ନେତୃତ୍ୱରେ ଆଉ ଏକ ଟିମ ଶ୍ରୀଲଙ୍କାରେ ଦିନିକିଆ ଓ ଟି୨୦ ସିରିଜ ଖେଳିଥିଲେ । ଭାରତ ନିକଟରେ ଅନେକ ଦକ୍ଷତା ସମ୍ପନ୍ନ ଖେଳାଳି ଥିବାରୁ ୨ଟି ଦଳ ଚୟନ କରିବାରେ କୌଣସି ଅସୁବିଧା ହେବନି ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି । ଏସିଆନ ଗେମ୍ସରେ ସୂର୍ଯ୍ୟକୁମାର ଯାଦବ ଭାରତର ନେତୃତ୍ୱ ନେଇପାରନ୍ତି । ଗତ ସଂସ୍କରଣରେ ରିତୁରାଜ ଗାଏକ୍ୱାଡ ଏହି ଦାୟିତ୍ୱ ତୁଲାଇଥିଲେ ।