Latest Odisha News

BREAKING NEWS

ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଚୀନ୍ ଦାବି କରିବା ପୁରୁଣା ଅଭ୍ୟାସ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ ଅଞ୍ଚଳକୁ ନିଜ ଦେଶର ଏକ ଅଂଶ ଭାବରେ ଅନ୍ତର୍ଭୁକ୍ତ କରି ଏକ ସରକାରୀ “ମାନକ ମାନଚିତ୍ର” ଜାରି କରିଥିବାରୁ ଚୀନ୍କୁ ନିନ୍ଦା କରିଛନ୍ତି।

ଚୀନର ଏହି ପଦକ୍ଷେପକୁ ‘ପୁୁରୁଣା ଅଭ୍ୟାସ’ ବୋଲି କହିଛନ୍ତି ଜୟଶଙ୍କର। ଏଥିସହ କହିଛନ୍ତି ଯେ ଚୀନ୍ କେବଳ ଅନ୍ୟ ଦେଶର ଅଞ୍ଚଳକୁ ନକ୍ସାରେ ସାମିଲ କଲେ କିଛି ପରିବର୍ତ୍ତନ ହେବ ନାହିଁ।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଚୀନ ଅନେକ ସମୟରେ ସେହି ଅଞ୍ଚଳକୁ ନିଜର ବୋଲି ଦାବି କରି ନକ୍ସା ପ୍ରସ୍ତୁତ କରିଛି। ଏହା ଏକ ପୁରୁଣା ଅଭ୍ୟାସ। କେବଳ ଭାରତର କିଛି ଅଂଶ ସହିତ ମାନଚିତ୍ର ଲଗାଇବା ଦ୍ୱାରା ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି।

ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ “ଅଯବ ଦାବି” କରିବା ଦ୍ୱାରା ଅନ୍ୟ ଲୋକଙ୍କ ଅଞ୍ଚଳ ନିଜର ହୋଇ ନ ଥାଏ। ଚାଇନା ଡେଲି ଖବରକାଗଜ ଅନୁସାରେ ଝେଜିଆଙ୍ଗ ପ୍ରଦେଶର ଡେକିଙ୍ଗ କାଉଣ୍ଟିରେ ସୋମବାର ଦିନ ସର୍ଭେ ଏବଂ ମ୍ୟାପିଂ ପବ୍ଲିସିଟି ଡେ ଏବଂ ନ୍ୟାସନାଲ ମ୍ୟାପିଂ ସଚେତନତା ପ୍ରଚାର ସପ୍ତାହ ପାଳନ ଅବସରରେ ଚୀନର ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟ ଏହି ମାନଚିତ୍ର ଜାରି କରିଛି।

ଅରୁଣାଚଳକୁ ନେଇ ଚୀନ୍ ବାରମ୍ବାର ଦାବି କରିଆସୁଛି। ପୂର୍ବରୁ ଏହି ପାହାଡିଆ ରାଜ୍ୟରେ ୧୧ଟି ସ୍ଥାନର ନାଁ ବଦଳାଇବା ଦ୍ୱାରା ମୋଦୀ ସରକାର ଚୀନକୁ କଡ଼ା ସମାଲୋଚନା କରିଥିଲେ। ଚୀନ୍ ଅରୁଣାଚଳକୁ ନିଜର ବୋଲି ଦାବି କରୁଥିବା ବେଳେ ଭାରତ ଏହାକୁ ବାରମ୍ବାର ଖଣ୍ଡନ କରିଆସୁଛି।

Comments are closed.