Latest Odisha News

କଳାମାଟିରେ ତିଆରି ହେଉଛି ବାରବାଟୀ ପିଚ୍, ବ୍ୟାଟର ଫ୍ରେଣ୍ଡଲି ରହିବ ଗ୍ରାଉଣ୍ଡ

କଟକ: କେମିତି ତିଆରି ହେଉଛି ବାରବାଟୀ ପିଚ୍ ? ସମସ୍ତଙ୍କ ମନରେ ଏ ଉତ୍‌ସୁକତା ରହିଛି । ଏଥର ବାରବାଟୀ ପିଚ୍ କାହାକୁ ଦେବ ଅଧିକ ଫାଇଦା ? ଏ କଥା ଜାଣିବାକୁ ବି କ୍ରିକେଟ ପ୍ରେମିଙ୍କ ଭିତରେ ଆଗ୍ରହ ରହିଛି । ଏପରିସ୍ଥିତିରେ ଆମେ ଆପଣଙ୍କୁ ଜଣାଇବୁ କେମିତି ପ୍ରସ୍ତୁତ ହେଉଛି ବାରବାଟୀ ପିଚ୍, ଆଉ ବ୍ୟାଟର ନା ବୋଲରଙ୍କୁ ଦେବ ଅଧିକ ଫାଇଦା ସେ ବିଷୟରେ ବି ଜାଣିବା ।

ଆସନ୍ତା ୯ ତାରିଖରେ ବାରବାଟୀ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ପାଇଁ ପିଚ୍‌କୁ ଫାଇନାଲ୍‌ ଟଚ୍‌ ଦେଉଛନ୍ତି କ୍ୟୁରେଟର । କଳାମାଟିରେ ପ୍ରସ୍ତୁତ ହୋଇଥିବା ପିଚ୍‌କୁ ଚୟନ କରିଛନ୍ତି ବିସିସିଆଇର ପିଚ୍‌ କ୍ୟୁରେଟର । ଏହି ପିଚକୁ ବ୍ୟାଟ୍ସମ୍ୟାନ ଫ୍ରେଣ୍ଡଲି ବୋଲି କୁହାଯାଏ । ପିଚ୍‌ ଚୟନ କାର୍ଯ୍ୟ ଶେଷ ହେବା ପରେ ସେହି ଅଞ୍ଚଳକୁ ନୋ ମ୍ୟାନ୍ସ ଲ୍ୟାଣ୍ଡରେ ପରିବର୍ତ୍ତିତ କରାଯାଇଛି । ପିଚ୍‌ର ଚାରି ପଟକୁ ରସି ଦ୍ବାରା ଆବନ୍ଧ କରାଯାଇଥିବାବେଳେ ମ୍ୟାଚ୍‌ ଶେଷ ହେବା ପର୍ଯ୍ୟନ୍ତ କେବଳ ବିସିସିଆଇ ଅଧିକୃତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାରିକୁ ଏହା ନିକଟକୁ ଛଡା ଯିବ ନାହିଁ ।

ପିଚ୍‌ ଚୟନ କାର୍ଯ୍ୟ ଶେଷ ହେବା ପରେ ଅଷ୍ଟ୍ରେଲିଆରୁ ଆମଦାନୀ ହୋଇଥିବା ଖତ ବା ଖାଦକୁ ପଡ଼ିଆରେ ସିଞ୍ଜନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପିଚ୍‌ ଠାରୁ ୩୦ ୟାର୍ଡ ଅଞ୍ଚଳରେ ଏହି ଖତକୁ ପ୍ରୟୋଗ କରାଯାଇଛି । ଏହା ପରେ ପୁରା ପଡ଼ିଆରେ ଏହି ଖତର ବ୍ୟବହାର କରାଯିବ । ସେପଟେ ଦିବା ରାତ୍ର ମ୍ୟାଚ ହୋଇଥିବାରୁ ସନ୍ଧ୍ୟା ପରେ ପଡୁଥିବା କାକର ଯେମିତି ସମସ୍ୟା ସୃଷ୍ଟି ନ କରେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । କାକର ସମସ୍ୟାର ସମାଧାନ ପାଇଁ ମ୍ୟାଚ୍‌ ପୂର୍ବ ରାତିରେ ପଡ଼ିଆରେ “ଆଣ୍ଟି ଡିୟୁ” ସିଞ୍ଚନ କରାଯିବ । ଫଳରେ ଖେଳାଳିଙ୍କୁ କାକର ଜନିତ ସୃଷ୍ଟି ହେଉଥିବା ସମସ୍ୟାର ସମୁଖିନ ହେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓସିଏର ପିଚ୍‌ କ୍ୟୁରେଟର ।

Comments are closed.