ନୂଆଦିଲ୍ଲୀ: ହାଙ୍ଗଝୋଉ ଏସିଆନ ଗେମ୍ସରେ ଭାରତର ଅଭିଯାନ ଶେଷ ହୋଇଛି । ଏଥର ଭାରତୀୟ ଟିମ ଦେଶ ପାଇଁ ସର୍ବାଧିକ ୧୦୭ ପଦକ ଜିତି ଇତିହାସ ରଚିଛନ୍ତି । ସମ୍ପୂର୍ଣ୍ଣ ଦେଶ ଏ ନେଇ ଗୌରବନ୍ୱିତ ହୋଇ ଉଠିଛନ୍ତି । ଓଭରାଲ ଭାରତ ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ପଦକ ଜିତିଛି । ପ୍ରଥମ ଦିନ ୫ଟି ପଦକ ହାସଲ କରି ଭାରତ ତାର ଅଭିଯାନ ଆରମ୍ଭ କରିଥିଲା । ଆରମ୍ଭରୁ ଭାରତ ୧୦୦ ପଦକ ଟାର୍ଗେଟ ଛୁଇଁବ ବୋଲି ଆଶା କରାଯାଉଥିଲା । ଯାହା ଏବେ ପୂରଣ ହୋଇଛି । ପଦକ ତାଲିକାରେ ଭାରତ ୪ର୍ଥ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଛି । ଏହା ପୂର୍ବରୁ ୨୦୧୮ରେ ଭାରତ ୭୦ ପଦକ ହାସଲ କରିଥିଲା । ତୀରନ୍ଦାଜ ଓ ଆଥଲେଟିକ୍ସରେ ଆଥଲେଟମାନେ ମାତ୍ରାଧିକ ପଦକ ଜିତିଥିଲେ । ୧୪ତମ ଦିନ ଭାରତ ୬ ସ୍ୱର୍ଣ୍ଣ ପଦକ ଜିତିଥିଲା ।
ବ୍ୟାଡମିଂଟନରେ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଦକ୍ଷିଣ କୋରିଆ ଯୋଡିଙ୍କୁ ୨୧-୧୮, ୨୧-୧୬ରେ ପରାସ୍ତ କରି ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି କବାଡିରେ ଭାରତ ଇରାନକୁ ହରାଇ ସ୍ୱର୍ଣ୍ଣ ଜିତିଛି । କ୍ରିକେଟରେ ମଧ୍ୟ ଭାରତୀୟ ପୁରୁଷ ଟିମ ସ୍ୱର୍ଣ୍ଣ ଜିତିଛନ୍ତି । ବର୍ଷା ଯୋଗୁ ମ୍ୟାଚ ଫଳାଫଳ ବାହାରି ପାରି ନ ଥିଲେ ମଧ୍ୟ ନିଷ୍ପତି ଭାରତ ସପକ୍ଷରେ ଯାଇଥିଲା ।
Comments are closed.