Latest Odisha News

ପ୍ୟାରିସ ଅଲିମ୍ପିକ୍ସ: ସୁରକ୍ଷା ପାଇଁ ନିୟୋଜିତ ହେବେ ଭାରତର କେ୯ କୁକୁର

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପାଇଁ ଫ୍ରାନ୍ସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏବେ ଫ୍ରାନ୍ସ ପକ୍ଷରୁ ଭାରତକୁ ସୁରକ୍ଷା ନେଇ ଏକ ବିଶେଷ ଅନୁରୋଧ କରାଯାଇଛି । ଭାରତୀୟ ସୁରକ୍ଷା ବଳରେ ପ୍ରଶିକ୍ଷିତ କେ୯ କୁକୁରକୁ ପଠାଇବା କୁହାଯାଇଛି । ପ୍ୟାରିସରେ ୨୬ ଜୁଲାଇରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଆୟୋଜିତ ହେବ । ବିସ୍ଫୋରକ ସାମଗ୍ରୀ ଖୋଜି ବାହାର କରିବାରେ ଏହି କୁକୁର ବେଶ ସିଦ୍ଧହସ୍ତ । କେ୯ କୁକୁରକୁ ପ୍ରଶିକ୍ଷଣ ଦେଉଥିବା ଅଧିକାରୀଙ୍କ ସହ ୧୦ଟି କୁକୁରକୁ ପଠାଇବା ପାଇଁ ଫ୍ରାନ୍ସ ପକ୍ଷରୁ ଅନୁରୋଧ କରାଯାଇଛି । ସିଏସିଏଫ, ସିଆରପିଏଫ, ଆଇଟିବିପି, ଏସଏସବି, ଆସାମ ରାଇଫଲ୍ସ ଓ ଏନଏସଜିରୁ ଏହି କୁକୁରକୁ ନିଆଯିବ ।

ଏହା ମଧ୍ୟରେ ୬ ବେଲଜିୟମ, ୩ ଶେଫର୍ଡ ବ୍ରିଡ ଓ ଗୋଟିଏ ଲ୍ୟାବ୍ରାଡୋର ରହିବ । କେ୯ କୁକୁରଙ୍କ ସହ ୧୭ ଅଧିକାରୀ ଯିବେ ବୋଲି ଜଣାପଡିଛି । ନିକଟରେ ଭାରତରେ ଆୟୋଜିତ ହୋଇଥିବା ଜି୨୦ ଶିଖର ସମ୍ମିଳନୀରେ ଏହି କୁକୁରଙ୍କୁ ସୁରକ୍ଷା ପାଇଁ ନିୟୋଜିତ କରାଯାଉଥିଲା । ସେ ସମୟରେ ବିଭିନ୍ନ ଦେଶର ଆସିଥିବା ସୁରକ୍ଷା ଅଧିକାରୀ ଏହି କୁକୁରଙ୍କ ପ୍ରଶିକ୍ଷଣ ଏବଂ କାର୍ଯ୍ୟଶୈଳୀରେ ବେଶ ପ୍ରଭାବିତ ହୋଇଥିଲେ । କେ୯ କୁକୁର ସମ୍ପର୍କରେ ଆଲୋଚନା ହେବା ପରେ ପ୍ରଥମ ଥର ପାଇଁ ଦେଶ ବାହାରେ ଏମାନେ ନିୟୋଜିତ ହେବେ ।

Comments are closed.