ଆଉ ହାତ ଗଣତି ଦିନ ପରେ ଭାରତ ଏବଂ ଶ୍ରୀଲଙ୍କାରେ ଆରମ୍ଭ ହୋଇଯିବ କ୍ରିକେଟର ମନୋରଞ୍ଜନ ଫର୍ମାଟ ଟି୨୦ ବିଶ୍ୱକପ । ୨ ଥର ଟାଇଟଲ ଜିତିଥିବା ଭାରତ ଏଥର ଘରୋଇ ପରିବେଶରେ ଚାମ୍ପିୟନ ହେବାକୁ ନିଶ୍ଚିତ ଭାବେ ଚାହିଁବ । ବିଭିନ୍ନ ସମୀକ୍ଷକ ସ୍ପଷ୍ଟ ଭାବେ କହିଛନ୍ତି ଭାରତ ଟାଇଟଲ ଫେଭରାଇଟ ରହିଛି । ଅବଶ୍ୟ ଘରୋଇ ପରିବେଶରେ କୌଣସି ଟିମ ଏ ପର୍ଯ୍ୟନ୍ତ ଟାଇଟଲ ହାସଲ କରିପାରି ନାହାନ୍ତି । ଭାରତ ଏହାକୁ ମିଥ୍ୟା ପ୍ରମାଣିତ କରିବା ଲକ୍ଷ୍ୟରେ ରହିଛି ।
ଅବଶ୍ୟ ଟି୨୦ କ୍ରିକେଟକୁ ନେଇ ଭବିଷ୍ୟବାଣୀ କରିବା ଆଦୌ ଗ୍ରହଣୀୟ ନୁହେଁ । ମାତ୍ର ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନ । ଲମ୍ବା ବ୍ୟାଟିଂ ଲାଇନଅପ । ଯୁବ ଟିମ ଏବଂ ରହସ୍ୟମୟ ସ୍ପିନର ଭାରତକୁ ଅନ୍ୟ ଟିମଠାରୁ ଭିନ୍ନ କରିଛି । ଛକା ମାରିବାରେ ଦଳର ଅଧିକାଂଶ ଖେଳାଳି ଧୂରନ୍ଧର । ଭାରତ ଗ୍ରୁପ ପର୍ଯ୍ୟାୟରେ ଆମେରିକା, ନାମ୍ବିଆ, ପାକିସ୍ତାନ ଓ ନେଦରଲାଣ୍ଡକୁ ଭେଟିବ । ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ଓହରିବା ଭାରତକୁ ଫାଇଦାରେ ରଖିଛି ।
ସୂର୍ଯ୍ୟକୁମାର ଯାଦବ, ଈଶାନ କିଶାନ ଓ ଶିବମ ଦୁବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସୁପର ଏଥଟ ପର୍ଯ୍ୟାୟ ପାର କରିବା ଏତେଟା ସହଜ ହେବନି । କାକର ଭରା ରାତିରେ ଟସ ହାରିବା ଏବଂ ଗୋଟିଏ କିମ୍ବା ଦୁଇଟି ଓଭରରେ ମ୍ୟାଚର ଗତିପଥ ବଦଳାଇ ଦେବ । ଏଥିପ୍ରତି ଟିମ ଇଣ୍ଡିଆକୁ ସର୍ବଦା ପ୍ଲାନ ବି ପ୍ରସ୍ତୁତ ରଖିବାକୁ ପଡିବ । ଅଭିଷେକ ଶର୍ମାଙ୍କ ସମେତ ଅନ୍ୟ ବ୍ୟାଟ୍ସମ୍ୟାନ ଗତ ବିଶ୍ୱକପରୁ ଏ ପର୍ଯ୍ୟନ୍ତ ଛକା ମାରିବାରେ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି । ସେହିପରି ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତି ଭାରତ ପାଇଁ ଟ୍ରମ୍ପ କାର୍ଡ ସାଜି ପାରନ୍ତି । ସେ ପାଖାପାଖି ୧୨ଟି ବଲରେ ଗୋଟିଏ ୱିକେଟ ଅକ୍ତିଆର କରୁଛନ୍ତି ।
ସୂର୍ଯ୍ୟକୁମାର ଭଲ ଭାବେ ଜାଣିଛନ୍ତି ସେ ଆଗାମୀ ବିଶ୍ୱକପ ଖେଳିବା ସୁଯୋଗ ପାଇ ନ ପାରନ୍ତି । ଭାରତକୁ ବିଶ୍ୱ ଚାମ୍ପିୟନ କରାଇ ସେ ନିଜ ନାମ ଇତିହାସରେ ଲିପିବଦ୍ଧ କରିବାକୁ ଚାହିଁବେ । ସଞ୍ଜୁ ସାମସନଙ୍କ ଖରାପ ଫର୍ମ ଈଶାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିପାରେ । ଅଭିଷେକଙ୍କ ସହ ସଞ୍ଜୁ କିମ୍ବା ଈଶାନ ଓପନିଂ କରିବେ । ଏହା ପରେ ତିଳକ ବର୍ମା, ସୂର୍ଯ୍ୟକୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଶିବମ ଦୁବେ, ଅକ୍ଷର ପଟେଲ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ ମନେ କରାଯାଉଛି । ହର୍ଷିତ ରାଣା ଓ ଅର୍ଶଦୀପ ସିଂଙ୍କ ମଧ୍ୟରୁ ଜଣଙ୍କୁ ନୂଆ ବଲ ଦାୟିତ୍ୱ ଦିଆଯାଇପାରେ । ଯଶପ୍ରୀତ ବୁମରାହ ଓ ବରୁଣ ଚକ୍ରବର୍ତି ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଚୂଡାନ୍ତ ଏକାଦଶରେ ବେଶୀ ପରିବର୍ତନ ସମ୍ଭାବନା ନ ଥିବାରୁ ଖେଳାଳିମାନଙ୍କ ମଧ୍ୟ ଭଲ ସମନ୍ୱୟ ରହିବ ବୋଲି ଆଶା କରାଯାଉଛି ।