ନୂଆଦିଲ୍ଲୀ: “ବଡ ଭୁଲ୍ କରିଦେଲା ଭାରତ”
ନୂଆ ମାନଚିତ୍ରକୁ ନେଇ ରାଗ ତମ ତମ ଚୀନ!
ଅରୁଣାଚଳ ପ୍ରଦେଶକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ପୁଣି ତୀବ୍ର ହୋଇଛି। ଭାରତ ଅରୁଣାଚଳ ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳର ୨୭ଟି ସ୍ଥାନର ନାମ ସହ ନୂଆ ମାନଚିତ୍ର ଜାରି କରିବା ପରେ ଚୀନ୍ ଏହାକୁ ନେଇ ତୀବ୍ର ଆପତ୍ତି ଜଣାଇଛି। ଚୀନ୍ର ଏହି ପ୍ରତିକ୍ରିୟାକୁ ନେଇ ଭାରତର ପୂର୍ବତନ କୂଟନୀତିଜ୍ଞ ତଥା ଜିଓପଲିଟିକାଲ୍ ବିଶେଷଜ୍ଞ କନୱାଲ୍ ସିବଲ୍ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ତିବ୍ବତକୁ ଚୀନ୍ର ଅଂଶ ଭାବେ ସ୍ୱୀକାର କରିବା ଭାରତର ଏକ ବଡ଼ ଭୁଲ ଥିଲା। ତେବେ କ’ଣ ରହିଛି ଏହି ପୂରା ବିବାଦ ପଛର କାହାଣୀ? ଆସନ୍ତୁ ଜାଣିବା…
ଭାରତର ନୂଆ ମାନଚିତ୍ର ହିଁ ଚୀନ୍ର ଚିନ୍ତା ବଢ଼ାଇ ଦେଇଛି। ଏହି ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳର ହ୍ରଦ, ପାହାଡ଼ିଆ ଦର୍ରା (ପାହାଡ଼ କିମ୍ବା ପର୍ବତମାଳା ମଧ୍ୟରେ ଥିବା ସଂକୀର୍ଣ୍ଣ ପ୍ରାକୃତିକ ରାସ୍ତା କିମ୍ବା ଅଣଓସାରିଆ ବାଟ) ଓ ବସତିଗୁଡ଼ିକୁ ଔପଚାରିକ ଭାବେ ଚିହ୍ନିତ କରାଯାଇଛି। ଏଥିରେ ଲୋଙ୍ଗଜୁ ଭଳି ଗାଁର ନାମ ଓ ଅବସ୍ଥାନ ମଧ୍ୟ ସାମିଲ ହୋଇଛି। ୧୯୫୯ରେ ଚୀନ୍ ଏହି ଅଞ୍ଚଳରେ ଅନୁପ୍ରବେଶ କରିଥିବା ଅଭିଯୋଗ ରହିଛି। ୧୯୬୨ର ଭାରତ-ଚୀନ୍ ଯୁଦ୍ଧ ପୂର୍ବରୁ ମଧ୍ୟ ଏହି ଅଞ୍ଚଳକୁ ନେଇ ବିବାଦ ଥିଲା। ଏବେ ଭାରତ ନିଜର ଅଧିକାରିକ ମାନଚିତ୍ରରେ ଏହି ସ୍ଥାନଗୁଡ଼ିକୁ ସ୍ପଷ୍ଟ ଭାବେ ଦର୍ଶାଇବା ପରେ ଚୀନ୍ ଏହାକୁ ବିରୋଧ କରିଛି। ଚୀନ୍ର ଦାବି ହେଉଛି, ଅରୁଣାଚଳ ପ୍ରଦେଶ ତାହାର ଅଞ୍ଚଳ ଏବଂ ଭାରତ ଏହାକୁ ‘ଅବୈଧ’ ଭାବେ ଗଠନ କରିଛି। କିନ୍ତୁ ଭାରତ ଦୀର୍ଘଦିନ ଧରି ଅରୁଣାଚଳ ପ୍ରଦେଶକୁ ନିଜର ଅବିଚ୍ଛେଦ୍ୟ ଅଂଶ ବୋଲି ସ୍ପଷ୍ଟ କରିଆସିଛି।
ଏହି ବିବାଦ ମଧ୍ୟରେ କନୱାଲ୍ ସିବଲ୍ ଚୀନ୍ର ବିସ୍ତାରବାଦୀ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ତିବ୍ବତକୁ ଚୀନର ଅଂଶ ଭାବେ ସ୍ୱୀକାର କରି ଭାରତ ଏକ ବଡ଼ ଭୁଲ କରିଛି। ଚୀନ ବିଶ୍ୱର ଅନ୍ୟତମ ବୃହତ୍ତମ ଦେଶ। କିନ୍ତୁ ଏହାର ଭୂଖଣ୍ଡ ଦଖଲ କରିବାର ଲାଳସା ଯେପରି ଶେଷ ହେଉନାହିଁ। ଚୀନର ଆଞ୍ଚଳିକ ଦାବିଗୁଡ଼ିକ ସାମ୍ରାଜ୍ୟବାଦୀ ମନୋଭାବକୁ ପ୍ରତିଫଳିତ କରେ, କାରଣ ଏହାର ମୂଳରେ ଚୀନ ନିଜ ସାମ୍ରାଜ୍ୟବାଦୀ ଇତିହାସକୁ ନିଜସ୍ୱ ଭାବେ ବ୍ୟାଖ୍ୟା କରିବାର ଧାରଣା ରହିଛି। ଚୀନ ସବୁବେଳେ ଏଭଳି ପରିସ୍ଥିତି ତିଆରି କରୁଛି, ଯାହାଫଳରେ ଭାରତ ତାକୁ ଜଣେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖୁଥାଉ।”
ତିବ୍ବତକୁ ନେଇ ବିବାଦ କ’ଣ?
୧୯୫୦ ମସିହା ଅକ୍ଟୋବରରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ତିବ୍ବତରେ ପ୍ରବେଶ କରିଥିଲା। ପରବର୍ତ୍ତୀ ସମୟରେ ତିବ୍ବତ ଚୀନ୍ର ନିୟନ୍ତ୍ରଣକୁ ଚାଲିଗଲା। ଚୀନ୍ ଏହାକୁ ‘ତିବ୍ବତ ସ୍ୱୟଂଶାସିତ ଅଞ୍ଚଳ’ ବୋଲି କହୁଥିବାବେଳେ, ତିବ୍ବତୀୟ ନେତୃତ୍ୱ ଏହାକୁ ଚୀନ୍ର ନିୟନ୍ତ୍ରଣ ବୋଲି ବର୍ଣ୍ଣନା କରିଆସିଛି। ୧୯୫୯ରେ ୧୪ତମ ଦଲାଇ ଲାମା ତିବ୍ବତ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ଆଜି ମଧ୍ୟ ତାଙ୍କ ନିର୍ବାସିତ ଜୀବନ ହିମାଚଳ ପ୍ରଦେଶର ଧର୍ମଶାଳାରେ ବିତୁଛି। ଆଉ ଏହାରି ଭିତରେ ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳକୁ ନେଇ ମାନଚିତ୍ରରେ ଭାରତ ସ୍ପଷ୍ଟ ଚିହ୍ନଟ କରିଥିବା ବେଳେ ଏହାକୁ ନେଇ ରକ୍ତ ଚାଉଳ ଚୋବାଉଛି ଚୀନ ।
ଅରୁଣାଚଳକୁ ନେଇ ନୂଆ ମାନଚିତ୍ର ଏବଂ ଚୀନ୍ର ଆପତ୍ତି ମଧ୍ୟରେ ପୁଣିଥରେ ସାମ୍ନାକୁ ଆସିଛି ଭାରତ-ଚୀନ୍ ସୀମା ବିବାଦର ପୁରୁଣା ଅଧ୍ୟାୟ। ଆଗକୁ ଏହି ମାମଲା କେଉଁ ମୋଡ଼ ନେଉଛି, ତା’ ଉପରେ ଏବେ ସମସ୍ତଙ୍କ ନଜର।
