Latest Odisha News

BREAKING NEWS

India made Chips Before: ୧୯୮୦ ଦଶକରେ ଚିପ୍‌ ତିଆରି କରୁଥିଲା ଭାରତ, ଗୋଟିଏ ଭୟଙ୍କର ନିଆଁ ଧ୍ୱଂସ କରିଦେଇଥିଲା ସ୍ୱପ୍ନ! ଜାଣନ୍ତୁ ୪୦ ବର୍ଷ ତଳର ସେହି କାହାଣୀ…

ନୂଆଦିଲ୍ଲୀ: ଆଜି ସେମିକଣ୍ଡକ୍ଟର ଚିପ୍‌ ନିର୍ମାଣ କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ପରିଚୟ ତିଆରି କରିବାକୁ ଭାରତ ବଡ଼ ଧରଣର ନିବେଶ କରୁଛି। ଗୁଜରାଟର ଧୋଲେରାରେ ଦେଶର ପ୍ରଥମ ବୃହତ୍‌ ସିଲିକନ୍‌ ଚିପ୍‌ ନିର୍ମାଣ କାରଖାନା ୨୦୨୮ ସୁଦ୍ଧା ଆରମ୍ଭ ହେବାର ଆଶା ରହିଛି। କିନ୍ତୁ କ’ଣ ଆପଣ ଜାଣନ୍ତି, ଭାରତ ଏହି କ୍ଷେତ୍ରରେ ଚାରି ଦଶନ୍ଧି ପୂର୍ବରୁ ହିଁ ପାଦ ଥାପିଥିଲା। ପଞ୍ଜାବର ମୋହାଲିରେ ଥିବା ସେମିକଣ୍ଡକ୍ଟର କମ୍ପ୍ଲେକ୍ସ ଲିମିଟେଡ୍‌ (SCL)ରେ ୧୯୮୩ ମସିହାରୁ ଚିପ୍‌ ଉତ୍ପାଦନ ଆରମ୍ଭ ହୋଇଥିଲା। ହେଲେ ୧୯୮୯ ଫେବ୍ରୁଆରୀ ୭ ତାରିଖ ରାତିରେ ଲାଗିଥିବା ଭୟଙ୍କର ନିଆଁ ଭାରତର ସେହି ଟେକ୍ନୋଲୋଜି ସ୍ୱପ୍ନକୁ ବଡ଼ ଝଟକା ଦେଇଥିଲା।

୧୯୭୬ ମସିହାରେ ଇଲେକ୍ଟ୍ରୋନିକ୍ସ ବିଭାଗ ଅଧୀନରେ ଏକ ସରକାରୀ କ୍ଷେତ୍ରର ସଂସ୍ଥା ଭାବେ ମୋହାଲିରେ SCL ପ୍ରତିଷ୍ଠା ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ବୃହତ୍‌ ଧରଣର ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌ (LSI) ଏବଂ ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌ (VLSI)ର ବିକାଶ ଓ ଉତ୍ପାଦନ। ଏଥିପାଇଁ ଆମେରିକୀୟ କମ୍ପାନୀ ଆମେରିକାନ୍‌ ମାଇକ୍ରୋସିଷ୍ଟମ୍ସ ଇଙ୍କ୍‌ଠାରୁ ଟେକ୍ନୋଲୋଜି ହାସଲ କରିଥିଲା ଭାରତ। ୧୯୮୩ରେ ଏଠାରେ ଚିପ୍‌ ତିଆରି ଆରମ୍ଭ ହୋଇଥିଲା। ୧୯୮୬ ସେପ୍ଟେମ୍ବର ସୁଦ୍ଧା ପଶ୍ଚିମ ଜର୍ମାନୀ ଓ ହଂକଂ ଭଳି ଦେଶକୁ ମଧ୍ୟ ଚିପ୍‌ ରପ୍ତାନି କରିବା ଆରମ୍ଭ କରିଥିଲା SCL। ସେତେବେଳେ ଏଠାରେ ୩ ମାଇକ୍ରନ୍‌ ଟେକ୍ନୋଲୋଜିର ଚିପ୍‌ ତିଆରି ହେଉଥିଲା।

କିନ୍ତୁ ୧୯୮୯ ଫେବ୍ରୁଆରୀ ୭ ତାରିଖ ରାତିରେ SCL ପରିସରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଚିପ୍‌ ଉତ୍ପାଦନ ୟୁନିଟ୍‌ ସହ ଗବେଷଣା ଓ ବିକାଶ ବିଭାଗ (R&D) ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ତତ୍କାଳୀନ ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ କେ.ଆର୍‌. ନାରାୟଣନ୍‌ ୧୯୮୯ ମାର୍ଚ୍ଚ ୧ ତାରିଖରେ ସଂସଦରେ କହିଥିଲେ ଯେ ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬୦ କୋଟି ଟଙ୍କାର କ୍ଷତି ହୋଇଥିଲା। ସେତେବେଳେ ସଂସ୍ଥାରେ ପ୍ରାୟ ୮୫୦ ଜଣ କର୍ମଚାରୀ କାମ କରୁଥିଲେ ଏବଂ ପ୍ରାୟ ଅଧା କର୍ମଚାରୀଙ୍କ ନିଯୁକ୍ତି ପ୍ରଭାବିତ ହୋଇଥିଲା। ତେବେ ପ୍ରଶାସନିକ କୋଠା ଓ କମ୍ପ୍ୟୁଟର ଆଧାରିତ ଡିଜାଇନ୍‌ ସୁବିଧା ସୁରକ୍ଷିତ ରହିଥିଲା। ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନଥିଲା।

ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ମେଜର ଜେନେରାଲ୍‌ ଏସ୍‌.ଏ. ମୋହିଲେଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ୧୯୯୧ ଅଗଷ୍ଟରେ ସରକାର ଲୋକସଭାକୁ ଜଣାଇଥିଲେ ଯେ କମିଟି ଏହାକୁ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ବୋଲି ମାନିଥିଲା। ଏଥିପାଇଁ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀକୁ ଦାୟୀ କରାଯାଇନଥିଲା। ପରବର୍ତ୍ତୀ ସମୟରେ ସର୍ଟ ସର୍କିଟ୍‌କୁ ନିଆଁ ଲାଗିବାର ସମ୍ଭାବ୍ୟ କାରଣ ବୋଲି କୁହାଯାଇଥିଲେ ମଧ୍ୟ ଏହାର ଆଧିକାରିକ ପୁଷ୍ଟି ହୋଇନଥିଲା।

ଏହି ଦୁର୍ଘଟଣା ପରେ କାରଖାନାକୁ ପୁଣିଥରେ ଗଢ଼ିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ୧୯୯୩ରେ ପ୍ରାୟ ୩୧୫ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନା ଆରମ୍ଭ ହୋଇଥିଲା ଏବଂ ୧୯୯୫ରେ ପୁଣିଥରେ ୱେଫର୍‌ ଉତ୍ପାଦନ ଆରମ୍ଭ ହୋଇଥିଲା। ତେବେ ଏହି ସମୟ ମଧ୍ୟରେ ବିଶ୍ୱର ସେମିକଣ୍ଡକ୍ଟର ଶିଳ୍ପ ବହୁତ ଆଗକୁ ବଢ଼ିଯାଇଥିଲା। ପରେ SCL ୨୦୧୧-୧୨ରେ ୧୮୦ ନାନୋମିଟର୍‌ ଟେକ୍ନୋଲୋଜି ଆପଣାଇଥିଲା। ଏକ ଭୟଙ୍କର ଅଗ୍ନିକାଣ୍ଡ କିପରି ଭାରତର ଚିପ୍‌ ନିର୍ମାଣ ଯାତ୍ରାକୁ ବର୍ଷ ବର୍ଷ ପଛକୁ ଠେଲିଦେଇଥିଲା, ମୋହାଲିର SCL ତାହାର ଏକ ଉଦାହରଣ ହୋଇ ରହିଛି।

Leave A Reply

Your email address will not be published.