Latest Odisha News

BREAKING NEWS

ନୀତି ଥିଲା ‘ଭାରତ ପ୍ରଥମେ ପରମାଣୁ ବୋମା’ ବ୍ୟବହାର କରିବ ନାହିଁ, ଏବେ ପରିସ୍ଥିତି ଅନୁଯାୟୀ ଅସ୍ତ୍ର ପ୍ରୟୋଗ ହେବ: ରାଜନାଥ ସିଂହ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ସମସ୍ତ ପ୍ରକାରର ଦ୍ୱିପାକ୍ଷୀକ ସମ୍ପର୍କରେ ଅବନତି ଘଟିବାରେ ଲାଗିଛି । ଧାରା ୩୭୦କୁ ନେଇ ପାକିସ୍ତାନ ଚୀନ ସହିତ ବିଶ୍ୱ ସମୁଦାୟରେ ଚର୍ଚ୍ଚା କରୁଥିବା ବେଳେ ସୀମାରେଖା ନିକଟରେ ପଡ଼ୋଶୀ ଦେଶ ପକ୍ଷରୁ ସୈନ୍ୟ ଠୁଳ ହେବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଦିନ ଯେଉଁ ବୟାନ ଦେଇଛନ୍ତି, ତାହାକୁ ନେଇ ପାକିସ୍ତାନର ମୁଣ୍ଡବ୍ୟଥା ବୃଦ୍ଧି ପାଇବାରେ ଲାଗିଛି । ଆଜି ପର୍ଯ୍ୟନ୍ତ ଭାରତର ନୀତି ରହିଥିଲା, ଭାରତ ପ୍ରଥମେ ପରମାଣୁ ବୋମା ବ୍ୟବହାର କରିବ ନାହିଁ, ମାତ୍ର ଏବେ ପରିସ୍ଥିତି ଉପୁଜିଲେ କ’ଣ ହେବ ତାହା କହିହେବ ନାହିଁ ବୋଲି ପାକିସ୍ତାନକୁ ସତର୍କ କରିଛନ୍ତି ରାଜନାଥ ସିଂହ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ଭାରତ ଏକ ପରମାଣୁ ରାଷ୍ଟ୍ର ରୂପେ ଅନେକ ଦିନ ଧରି ଗୋଟିଏ ନୀତି ଅବଲମ୍ବନ କରି ଆସୁଥିଲା । ଭାରତ ପକ୍ଷରୁ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର ନ କରିବାର ନୀତି ରହିଥିଲା । ଆଜି ପର୍ଯ୍ୟନ୍ତ ମଧ୍ୟ ତାହା ବଳବତ୍ତର ରହିଛି । ମାତ୍ର ପରିସ୍ଥିତି ଉପୁଜିଲେ ଭବିଷ୍ୟତରେ କ’ଣ ଘଟିବ ତାହା କହିହେବ ନାହିଁ । ଏହା କହିଛନ୍ତି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ।

ଏଠାରେ ଉଲ୍ଲେଖଯୋଗ୍ୟ, ଭାରତ ପକ୍ଷରୁ ୧୯୭୪ ଏବଂ ୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ପୋଖରାନ୍ ଠାରେ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା ।

ଦିନକୁ ଦିନ ଭାରତ-ପାକିସ୍ତାନ ସଂପର୍କରେ ଘଟୁଛି ଦ୍ରୁତ ଅବନତୀ:

ପାକିସ୍ତାନ ଗତ ଅଗଷ୍ଟ ୧୪ ତାରିଖ ଦିନ ଦେଶର ସ୍ୱାଧୀନତା ଦିବସ ପାଳନ କରିଛି । ଏହି ଅବସରରେ ଏହି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଆମକୁ ସୂଚନା ମିଳିଛି ଯେ, ଭାରତ ‘ଅଧିକୃତ ପାକିସ୍ତାନ’ରେ ଏକ ବଡ଼ ଧରଣର ଆକ୍ରମଣ ହେବାର ସମ୍ଭାବନା ରହିଛି ।

ପ୍ରତିରକ୍ଷା ବିଶାରଦଙ୍କ ମତ…….

ଭାରତୀୟ ପତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ବୟାନକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଛନ୍ତି ଭାରତର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ।

ଭାରତୀୟ ସେନାର ପୂର୍ବତନ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ବି ଏସ ନାଗପାଲ କହିଛନ୍ତି, ପ୍ରଥମେ ପରମାଣୁ ବ୍ୟବହାର ନ’କରିବା ନୀତି ଥିଲା ଧ୍ୱଂସମୂଖୀ ହେବାକୁ ବୋଲି ଏହା ଏନଡ଼ିଟିଭିରେ ପ୍ରକାଶିତ ହୋଇଛି ।

ଏହି ରିପୋର୍ଟରେ ମଧ୍ୟ ପ୍ରକାଶିତ ହୋଇଛି ଯେ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହାର ପାରିକର ମଧ୍ୟ ପୂର୍ବରୁ ଏହି ପ୍ରଥମେ ପରମାଣୁ ବ୍ୟବହାର ନୀତିକୁ ବଦଳାଇବାକୁ ଚାହୁଁଥିଲେ ।

Leave A Reply

Your email address will not be published.