ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଭାରତୀୟ ଟିମ ଏକ ଅଲୋଡା ପ୍ରଦର୍ଶନ ଜାରୀ ରଖି ଆଗରେ ରହିଛନ୍ତି । ସୁପର ଏଇଟର ପ୍ରଥମ ମ୍ୟାଚ ହାରିବା ପରେ ପ୍ରଶଂସକମାନେ ଟିମ ଇଣ୍ଡିଆର ପ୍ରଦର୍ଶନ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଭାରତୀୟ ଦଳର ବ୍ୟାଟ୍ସମ୍ୟାନମାନେ ଚଳିତ ସଂସ୍କରଣରେ ସର୍ବାଧିକ ଥର ଶୂନରେ ଆଉଟ ହୋଇଛନ୍ତି । ବିଶ୍ୱର ଏକ ନମ୍ବର ଟି୨୦ ଟିମର ବ୍ୟାଟ୍ସମ୍ୟାନ ୧୧ ଥର ଶୂନରେ ଆଉଟ ହୋଇ ଇଟାଲୀକୁ ପଛରେ ପକାଇ ଦେଇଛନ୍ତି । ଇଟାଲୀ ଖେଳାଳି ୮ ଓ ଓମାନର ପ୍ଲେୟାର ୭ଥର ଶୂନରେ ଆଉଟ ହୋଇ ଭାରତ ପଛରେ ରହିଛନ୍ତି ।
ଅଭିଷେକ ଶର୍ମା ୩ ଥର ଖାତା ଖୋଲି ପାରି ନ ଥିବା ବେଳେ ଅକ୍ଷର ପଟେଲ ୨ଥର ଏବଂ ଶିବମ ଦୁବେ, ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତି ଓ ରିଙ୍କୁ ସିଂ ଥରେ ଲେଖାଏଁ ଶୂନରେ ଆଉଟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସୁପର ଏଇଟ ମ୍ୟାଚରେ ଭାରତର ୩ଜଣ ଖେଳାଳି ଖାତା ଖୋଲି ପାରି ନ ଥିଲେ । ସେମାନେ ହେଲେ ଈଶାନ କିଶାନ, ରିଙ୍କୁ ସିଂ ଓ ଯଶପ୍ରୀତ ବୁମରାହ । ଭାରତ ତାର ପରବର୍ତୀ ୨ଟି ମ୍ୟାଚ ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ ବିପକ୍ଷରେ ଖେଳିବ । ଏହାକୁ ଜିତି ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଟିମ ଇଣ୍ଡିଆ ଉଦ୍ୟମ କରିବ ।