Latest Odisha News

BREAKING NEWS

ରାତାରାତି ଗାଁରୁ ଗାଏବ ହୋଇଗଲେ ଲୋକ

ଜୟପୁର: ରାଜସ୍ଥାନର ପର୍ଯ୍ୟଟନ ଏବଂ ମନଲୋଭା ଦୃଶ୍ୟକୁ ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ଛୁଟିଥାନ୍ତି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏଠାରେ ଏକ ଭୂତର ଗ୍ରାମ ଅଛି । ମାନେ ଏହି ଗାଁରେ ଘର ଦ୍ୱାର, ରାସ୍ତାଘାଟ ସବୁ କିଛି ଅଛି ମାତ୍ର ଲୋକ ନାହାନ୍ତି । ଭାନଗଡରେ ଥିବା ଏହି ଗ୍ରାମର ନାମ କୂଲଧାରା । ଜୈସଲମେରଠାରୁ ୧୭ କିଲୋମିଟର ଦୂରରେ ଥିବା ଏହି ଗ୍ରାମକୁ ନେଇ ଅନେକ କାହାଣୀ ରହିଛି । ସନ୍ଧ୍ୟା ୬ଟା ପରେ ଏଠାକୁ କେହି ଯାଆନ୍ତି ନାହିଁ ।

ଲୋକକଥା ଅନୁସାରେ ଏହା ଏକ ବଡ ଗ୍ରାମ ଥିଲା । ପାଖାପାଖି ୫୦୦୦ ଲୋକ ଏଠାରେ ରହୁଥିଲେ । ପାଲୀବାଲ ବ୍ରାହ୍ମଣ ଏହି ଗ୍ରାମ ବସାଇଥିଲେ । ଚାଷ ଓ ପଣ୍ଡିତ କାମ କରି ସେମାନେ ହସ ଖୁସିରେ ଚଳୁଥିଲେ । ତେବେ ସେହି ଗ୍ରାମର ଦିୱାନ ସାଲମ ସିଂ ଏକ ଖରାପ ପ୍ରବୃତିର ବ୍ୟକ୍ତି ଥିଲା । ସେ ଗ୍ରାମର ପ୍ରଧାନଙ୍କ ଝିଅ ଉପରେ ନଜର ପକାଇଥିଲା । କ୍ଷମତା ବଳରେ ସେ ଧମକ ଦେଇଥିଲା ଯେ, ଯଦି ଝିଅକୁ ମୋ ପାଖକୁ ନ ପଠାଇବ ତେବେ ଗ୍ରାମ ଉପରେ ଆକ୍ରମଣ କରି ନେଇଯିବି ।

ବହୁତ ଚିନ୍ତା କରିବା ପରେ ଗ୍ରାମବାସୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିଲେ । ସେମାନେ ରାତାରାତି ସେହି ଗ୍ରାମ ଛାଡି ପଳାଇ ଯାଇଥିଲେ । ଯିବା ପୂର୍ବରୁ ସେମାନେ ଅଭିଶାପ ଦେଇଥିଲେ ଯେ, ଏଠାରେ ଆଉ କେହି କେବେ ଚଳିପାରିବେ ନାହିଁ । ସେବେଠାରୁ ଏହି ଗ୍ରାମ ନୀରବ ପାଲଟି ଯାଇଛି । ରାତିରେ ଚୁଡି, ପାଉଜିର ଶବ୍ଦ ଶୁଭେ ବୋଲି ପାଖ ଗ୍ରାମର ଲୋକ କହନ୍ତି । ଏବେ ଏହି ଗ୍ରାମକୁ ଭାରତ ସରକାର ସଂରକ୍ଷଣକୁ ନେଇ ଯାଇଛନ୍ତି । ଗ୍ରାମର ବାହାରେ ଏକ ବଡ ଫାଟକ ଲଗାଯାଇଛି । ସକାଳ ୮ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକମାନେ ଯାଇପାରନ୍ତି । ଏହା ପରେ ଫାଟକକୁ ବନ୍ଦ କରି ଦିଆଯାଏ ।

Leave A Reply

Your email address will not be published.