Latest Odisha News

BREAKING NEWS

ଆଇସିସିର ବଡ଼ ତ୍ରୁଟି: ଜାଣିପାରିଲାନି ଟେଷ୍ଟରେ କିଏ ଏକ ନମ୍ବର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଧବାର ଅପରାହ୍ନରେ ଆଇସିସି ଟେଷ୍ଟ ମାନ୍ୟତା ଦୃଷ୍ଟିରୁ ଭାରତକୁ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଦଳ ବୋଲି ଘୋଷଣା କରିଥିଲା। ଏସିଆ ମହାଦେଶର ପ୍ରଥମ ଦଳ ଭାବେ କ୍ରିକେଟର ସବୁ ଫର୍ମାଟରେ ମ୍ୟାନ୍ ଇନ ବ୍ଲୁ ଏକ ନମ୍ବର ହୋଇଥିଲା। ଯାହାକୁ ନେଇ ସାରା ଭାରତର କ୍ରିକେଟ ପ୍ରେମୀ ଖୁସି ପ୍ରକଟ କରିଥିଲେ। ଏମିତିକି ବିସିସିଆଇ ସଚିବ ଜୟ ଶାହ ମଧ୍ୟ ଟ୍ବିଟ୍ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ଏହି ଖୁସି ବେଶୀ ସମୟ ନଥିଲା। କାରଣ ଆଇସିସି ଭାରତକୁ ଟେଷ୍ଟରେ ଏକ ନମ୍ବର ଦଳ ବୋଲି ଘୋଷଣା କରିବାର ମାତ୍ର ସାଢେ ୪ ଘଣ୍ଟା ପରେ ଅଷ୍ଟ୍ରେଲିଆକୁ ପୁଣି ଥରେ ଏକ ନମ୍ବର ବୋଲି ଘୋଷଣା କରିଛି।

ବୁଧବାର ଅପରାହ୍ନ ପ୍ରାୟ ୧.୩୦ ସମୟରେ ଅଷ୍ଟ୍ରେଲିଆ ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିଲା, କିନ୍ତୁ ଅପରାହ୍ନ ୧.୩୨ ରେ ଟିମ୍ ଇଣ୍ଡିଆ ଶୀର୍ଷରେ ପହଞ୍ଚିଥିଲା। ଏହାପରେ ଅଷ୍ଟ୍ରେଲିଆ ଦଳ ପୁଣି ସନ୍ଧ୍ୟା ୭ଟା ୦୮ରେ ଏକ ନମ୍ବର ହୋଇଥିଲା।

ୱେବସାଇଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଘଟିଛି ବୋଲି ଆଇସିସି ସ୍ପଷ୍ଟୀକରଣ ରଖିଛି। ତେବେ ଆଇସିସି ୱେବସାଇଟରେ ଏହା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ଗତ ମାସ ମଧ୍ୟ ଆଇସିସି ୱେବସାଇଟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ତେବେ ଅଷ୍ଟ୍ରେଲିଆ ଦଳ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛି। ୧୨୬ ରେଟିଂ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦଳ ଶୀର୍ଷରେ ଅଛି। ୧୧୫ ରେଟିଂ ପଏଣ୍ଟ ସହିତ ଟିମ୍ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି।

ସେହିପରି ରବିଚନ୍ଦ୍ରନ ଅଶ୍ୱିନ ୮୪୬ ରେଟିଂ ପଏଣ୍ଟ ସହ ଆଇସିସି ଟେଷ୍ଟ ବୋଲିଂ ର଼୍ୟାଙ୍କିଙ୍ଗରେ ଚତୁର୍ଥରୁ ଦ୍ୱିତୀୟକୁ ଯାଇଛନ୍ତି। ଏଥି ସହିତ ପ୍ରଥମ ମାନ୍ୟତା ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ସହ ତାଙ୍କର ପାର୍ଥକ୍ୟ ୨୧ ରେଟିଂ ପଏଣ୍ଟକୁ ହ୍ରାସ ପାଇଛି। ଏହା ବ୍ୟତୀତ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଆଇସିସି ଟେଷ୍ଟ ମାନ୍ୟତାରେ ୮ ନମ୍ବର ସ୍ଥାନରେ ଅଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୧୬ ନମ୍ବରକୁ ଖସି ଆସିଛନ୍ତି। ଏଥି ସହିତ ଋଷଭ ପନ୍ତ ଆଇସିସି ଟେଷ୍ଟ ମାନ୍ୟତାରେ ଟିମ୍ ଇଣ୍ଡିଆର ଟପ୍ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ୭୮୯ ରେଟିଂ ପଏଣ୍ଟ ସହିତ ପନ୍ତ ୭ ନମ୍ବରରେ ଅଛନ୍ତି।

 

 

Comments are closed.