Latest Odisha News

ଚୀନର ଜିଏସଆଇ ପ୍ରସ୍ତାବକୁ ପ୍ରତ୍ୟାଖ୍ଯାନ କଲା ଭାରତ, କ’ଣ ଏହି ଜିଏସଆଇ?

ଉଜବେକିସ୍ତାନ: ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ହୋଇଥିବା ଏସସିଓ ସମ୍ମିଳନୀରେ ବିଶ୍ୱର ଅନେକ ନେତା ସାମିଲ ହୋଇଥିଲେ। ଏହି ସମ୍ମିଳନୀରେ ଚୀନର ବିସ୍ତାରବାଦୀ ଚିନ୍ତାଧାରାକୁ ଚେକ୍ ଦେଇଛନ୍ତି ଭାରତ ସମେତ ଅନେକ ଦେଶ। ଚୀନ୍ ଜିଏସଆଇ ପାଇଁ ଏହି ବୈଠକ ଜରିଆରେ ପ୍ରସ୍ତାବ ଦେଇଥିଲା। ହେଲେ ଅନେକ ଦେଶ ଏଥିପାଇଁ ସହଯୋଗ କରିବାକୁ ମନା କରି ଦେଇଛନ୍ତି। ଯାହାକି ଚୀନ୍ ଏବଂ ଏହାର ଏଜେଣ୍ଡା ପାଇଁ ଏକ ଝଟକା। ଏହି ଏଜେଣ୍ଡା ସମ୍ବନ୍ଧରେ ଚୀନ୍ ବହୁ ପୂର୍ବରୁ ଏସିଆରେ ନିଜର ଏଜେଣ୍ଡା ସ୍ଥିର କରିବାକୁ ଚାହୁଁଛି। ଏଥିପାଇଁ ଛୋଟ ଦେଶମାନଙ୍କୁ ମନାଇବାକୁ ପ୍ରୟାସ କରୁଛି।

ପୂର୍ବରୁ ମଧ୍ୟ ଏହି ଏଜେଣ୍ଡା ସମ୍ବନ୍ଧରେ ଚୀନ୍ ଅନ୍ୟ ଦେଶମାନଙ୍କଠାରୁ ସେଭଳି ଆଶ୍ବସନା ପାଇନଥିଲା। ଏବେ ଯେତେବେଳେ ଚୀନ ଏସସିଓ ଶିଖର ସମ୍ମିଳନୀରେ ପୁଣିଥରେ ନିଜର ଏଜେଣ୍ଡା ରଖିବାକୁ ଚାହୁଁଥିଲା, ସେତେବେଳେ ଭାରତ ସମେତ କୌଣସି ଦେଶ ସହମତି ପ୍ରକାଶ କରିନଥିଲେ। ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଭାରତ ଯେତେବେଳେ ଆମେରିକା ସମେତ ଅନେକ ଦେଶର ସମ୍ପର୍କକୁ ମଜବୁତ କରିବାରେ ସକ୍ଷମ ହୋଇଛି ସେତେବେଳେ ଚୀନ୍ ଏପରି ଜିଏସଆଇ ପ୍ରସ୍ତାବ ଦେଇଛି। ଏପରି କରି ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ସହିତ ଭାରତର ସମ୍ପର୍କକୁ ପରୋକ୍ଷରେ ପ୍ରଭାବ ପକାଇବାକୁ ଚାହୁଁଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚୀନର ପ୍ରସ୍ତାବରେ ବୈଠକରେ ଉପସ୍ଥିତ ଥିବା ଭାରତର ପ୍ରଧାନମନ୍ତ୍ରୀ କହିଛନ୍ତି, ସୀମାରେ ଶାନ୍ତି ନଆସିବା ଯାଏ ଆଲୋଚନା ହେବା ସମ୍ଭବ ନୁହେଁ। ଯାହା ପାକିସ୍ତାନ କ୍ଷେତ୍ରରେ ସାଧାରଣତଃ ଭାରତ କୁହେ।

ଜିଏସଆଇ କ’ଣ?
ଜିଏସଆଇ ଏକ ପ୍ରକାରରେ ଚୀନ୍‌ର ସାମରିକ ଏଜେଣ୍ଡା। ଚୀନ୍ ଏସିଆରେ ଏକ ସାମରିକ ସଂଗଠନ ଗଠନ କରିବାକୁ ଚାହୁଁଛି। ଯାହାର ନାମ GSI ଅର୍ଥାତ୍ ଗ୍ଲୋବାଲ୍ ସିକ୍ୟୁରିଟି ଇନିସିଏଟିଭ୍। ଚୀନ୍ ଏହା ଜରିଆରେ ଏସିଆରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛି। ଚୀନ୍ ଚାହୁଁଛି ଯେ ବର୍ତ୍ତମାନ ଏସୀୟ ଦେଶ ଏଥିରେ ସହମତ ହେବା ଉଚିତ୍। ଏପରି କରି କ୍ୱାର୍ଡ ବିରୋଧରେ ଏକ ମଜବୁତ ସଂଗଠନ କରିବାକୁ ଚାହୁଁଛି ଚୀନ୍।

ଚାପ ପକାଉଛି ଚୀନ୍?

ଜିଏସଆଇ ପାଇଁ ଚୀନ୍ ଅନେକ ଦେଶ ଉପରେ ଚାପ ପକାଇସାରିଛି। ଛୋଟ ଦେଶ ନେପାଳକୁ ମଧ୍ୟ ଏଥିରେ ସହମତ ହେବାକୁ ଅନେକ ଥର ଚାପ ପକାଇଛି। ନିକଟରେ ଚୀନ ଅଧିକାରୀମାନେ ଦାବି କରିଛନ୍ତି ଯେ ନେପାଳ ଜିଏସଆଇକୁ ସମର୍ଥନ କରୁଛି। କିନ୍ତୁ ଏ ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଆସି ନାହିଁ।

ଜିଏସଆଇର ଉଦ୍ଦେଶ୍ୟ କ’ଣ?

ଏବେ ପ୍ରଶ୍ନ ହେଉଛି ଚୀନ୍ କାହିଁକି ଜିଏସଆଇ ତିଆରି କରିବାକୁ ଚାହୁଁଛି? ଚୀନ୍ ଏକ ଏସୀୟ ସୁରକ୍ଷା ଭିତ୍ତିଭୂମି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଚୀନ୍ ଚିନ୍ତା କରୁଛି ଯେ ପାଶ୍ଚାତ୍ୟ ଦେଶର ସାମରିକ ସହଯୋଗୀ ନାଟୋ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ବିସ୍ତାର କରିବାକୁ ଚେଷ୍ଟା କରୁଛି। ଏଭଳି ପରିସ୍ଥିତିରେ ଚୀନ୍ ଏସୀୟ ଦେଶ ସହିତ ଜିଏସଆଇ କରିବାକୁ ଚାହୁଁଛି। ଏହା ସହିତ, ସେ ମଧ୍ୟ କ୍ୱାର୍ଡର ପ୍ରାଧାନ୍ୟ ହ୍ରାସ କରିବାକୁ ଚାହୁଁଛି।

ଯଦିଓ ଚୀନ୍ ଦାବି କରିଛି ଯେ ଏହା ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛି, କିନ୍ତୁ ବିଶେଷଜ୍ଞମାନେ ଏଥିରେ ସହମତ ନୁହଁନ୍ତି। ଚୀନ୍ ଆମେରିକାକୁ ବିପଦ ଦେଶ ବୋଲି ଭାବେ । ଆମେରିକା ବିଶ୍ୱ ଶାନ୍ତି ପାଇଁ ବିପଦ । ତେଣୁ ଏଭଳି ପରିସ୍ଥିତିରେ ଆମେରିକା ସୃଷ୍ଟି କରିଥିବା ସମସ୍ୟାର ସମାଧାନ କରିବାକୁ ସେ ଚେଷ୍ଟା କରୁଛି।

ଉଲ୍ଲେଖଯୋଗ୍ୟ, କ୍ୱାର୍ଡ ହେଉଛି ଚୀନକୁ ଚେକ୍ ଦେବାକୁ ତିଆରି ହୋଇଥିବା ସଂଗଠନ। ପ୍ରଶାନ୍ତ ମହାସାଗରରେ ଏହି ସଂଗଠନ ସକ୍ରିୟ ରହିଛି। ଏହି ସଂଗଠନରେ ବିଶ୍ବର ଚାରିଟି ଦେଶ ଆମେରିକା, ଅଷ୍ଟ୍ରେଲିଆ, ଭାରତ ଏବଂ ଜାପାନ ରହିଛନ୍ତି। କ୍ୱାର୍ଡର ଉଦ୍ଦେଶ୍ୟ ହେଉଛି ଏକ ମୁକ୍ତ, ଖୋଲା, ସମୃଦ୍ଧ ଏବଂ ଅନ୍ତର୍ଭୂକ୍ତ ଇଣ୍ଡୋ ପାସିଫିକ୍ ଅଞ୍ଚଳ ପାଇଁ କାମ କରିବା। ନିକଟରେ ମେ’ ମାସରେ ଜାପାନର ରାଜଧାନୀ ଟୋକିଓରେ ଚତୁର୍ଥ କ୍ୱାର୍ଡ ସମ୍ମିଳନୀ ହୋଇଥିଲା।

Comments are closed.