ନୂଆଦିଲ୍ଲୀ: ଦେଶରେ ପୁଣି ଫେରିବ କି ମହାମାରୀ କରୋନାର କରାଳ ରୂପ ? କାରଣ ଗତ କିଛିଦିନ ହେଲା ବେଲଗାମ ହୋଇ ବଢ଼ି ଚାଲିଛି ସଂକ୍ରମଣ। ସରଗରମ ରାଜନୈତିକ ମାହୋଲ ଆଡ଼େ ସମସ୍ତଙ୍କର ଧ୍ୟାନ ରହିଥିବା ବେଳେ ପାଦ ଚାପି ଚାପି ମାଡ଼ି ଆସିଲାଣି କରୋନା ମହାମାରୀ। ୩ ଦିନ ତଳେ ଦୈନିକ ସଂକ୍ରମଣ ହଜାର ପାର୍ କରିଥିଲା। ଆଉ ଆଜି ୨ ହଜାର ପାର୍ କରିଛି ପଜିଟିଭ ସଂଖ୍ୟା।
ଗତ ୨୪ ଘଣ୍ଟାରେ ଦେଶରେ ୨୧୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଅକ୍ଟୋବର ଶେଷ ଠାରୁ ୧୫୨ ଦିନ ପରେ ଆଜି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସଂଖ୍ୟା ମିଶିଲେ ଦେଶରେ ବର୍ତ୍ତମାନ କରୋନା ସକ୍ରିୟ ସଂଖ୍ୟା ୧୧,୯୦୩ ପାର୍ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ଅକ୍ଟୋବର ୨୮ ତାରିଖ ଦୈନିକ କରୋନା ପଜିଟିଭ୍ ୨୨୦୮ ରହିଥିଲା।
କେବଳ ସଂକ୍ରମଣ ବୃଦ୍ଧି ପାଉଛି ତାହା ନୁହେଁ, ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଦିନକରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୦,୮୪୮ ହୋଇଛି। ନୂଆ ମୃତକଙ୍କ ମଧ୍ୟରୁ ୩ ଜଣ ମହାରାଷ୍ଟ୍ରରୁ ହୋଇଥିବା ବେଳେ ଜଣେ କର୍ଣ୍ଣାଟକ ଓ ତିନି ଜଣ କେରଳାରୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।
ଦୈନିକ ପଜିଟିଭ ହାର ୧.୫୨ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୧.୫୩ ପ୍ରତିଶତ ହୋଇଛି। ଦେଶରେ ମୋଟ କୋଭିଡ୍ ପଜିଟିଭ ସଂଖ୍ୟା ୪.୪୭ କୋଟି ହୋଇଥିବା ବେଳେ ମୋଟ ସଂକ୍ରମଣରେ ସକ୍ରିୟ ହାର ୦.୦୩ ପ୍ରତିଶତ ରହିଛି।
ସେହିପରି ଜାତୀୟ ସୁସ୍ଥା ହାର ୯୮.୭୮ ପ୍ରତିଶତ ରହିଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି। ମୃତ୍ୟୁ ହାର ୧.୧୯ ରେକର୍ଡ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ସାରା ଦେଶରେ ବର୍ତ୍ତମାନ ୨୨୦.୬୫ କୋଟି କୋଭିଡ୍ ଟିକା ଡୋଜ୍ ଦିଆଯାଇ ସାରିଛି।
Comments are closed.