Latest Odisha News

ରହସ୍ୟ ଉଜାଗର ହେଲା, ଭାରତ କାହିଁକି ନେଇଛି ୫ ସ୍ପିନର

ଦୁବାଇ: ଭାରତୀୟ କ୍ରିକେଟ ଟିମ ଏବେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଗସ୍ତରେ ଯାଇଛି । ଅନ୍ୟ ଟିମ ତୁଳନାରେ ଭାରତ ତାର ଦଳରେ ୫ଜଣ ସ୍ପିନରଙ୍କୁ ନେଇ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ଭାରତର ଚୟନ କମିଟି ମୂଖ୍ୟ ଅଜିତ ଅଗରକର, କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା କାହିଁକି ପେସ ପିଚରେ ସ୍ପିନର ନେଇଛନ୍ତି ତାର ରହସ୍ୟ ଉଜାଗର ହୋଇଛି । ରିପୋର୍ଟ ଅନୁସାରେ ୨ଟି ନୂଆ ନୂଆ ପିଚ ପ୍ରସ୍ତୁତ ହୋଇଛି । ଏହି ପିଚ ଧୀମା ରହିବ ବୋଲି ଅନୁମାନ କରାଯାଉଛି ।

ଭାରତ ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଗତ ବର୍ଷ ମହିଳା ଟି୨୦ ବିଶ୍ୱକପ ପରେ ଦୁବାଇରେ ଅନେକଗୁଡିଏ ବଡ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଛି । ଏଥିରେ ୧୯ ବର୍ଷରୁ କମ ଏସିଆ କପ ଓ ଆଇଏଲଟି୨୦ ସାମିଲ । ପଡିଆରେ ସମୁଦାୟ ୧୦ଟି ପିଚ ରହିଛି । ଏହା ମଧ୍ୟରୁ ୨ଟି ପିଚ ବ୍ୟବହାର ହୋଇନି । ଚାମ୍ପିୟନ୍ସ ଟ୍ରଫିକୁ ଆଖି ଆଗରେ ରଖାଯାଇ ଏହି ପିଚକୁ ସୁରକ୍ଷିତ ରଖାଯାଇଛି ।

ପୂର୍ବରୁ ଦୁବାଇ ପିଚ ସମ୍ପୂର୍ଣ୍ଣ ଭାବେ ପେସରଙ୍କୁ ସୁହାଇଥାଏ । ଏହି ନୂଆ ପିଚ ଅପେକ୍ଷାକୃତ ଧୀମା ରହିବା ଅନୁମାନ କରାଯାଉଥିବାରୁ ରବୀନ୍ଦ୍ର ଜାଡେଜାଙ୍କ ପରି ବୋଲର ଏହାର ଫାଇଦା ଉଠାଇ ପାରନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଭାରତୀୟ ଟିମରେ ସ୍ଥାନ ପାଇଥିବା ଅଧିକାଂଶ ସ୍ପିନର ଅନ୍ୟମାନଙ୍କ ତୁଳନାରେ ଅପେକ୍ଷାକୃତ ଦ୍ରୁତ ବେଗରେ ବୋଲିଂ କରିଥାନ୍ତି । ଏହାକୁ ଭାରତକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ଟିମର ଅଧିକାଂଶ ସ୍ପିନର ଭଲ ଅଲରାଉଣ୍ଡର ହୋଇଥିବାରୁ ଏହା ଭାରତକୁ ଅନେକ ବିକଳ୍ପ ପ୍ରଦାନ କରିବ । ଯଦି ଭାରତୀୟ ରଣନୀତି ଠିକ ହୋଇଥାଏ ତେବେ ଏହା ନିଶ୍ଚିତ ଭାବେ ରୋହିତ ଶର୍ମାଙ୍କ ଟିମକୁ ଚାମ୍ପିୟନ କରାଇବ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି ।

Comments are closed.