Latest Odisha News

BREAKING NEWS

ପାକିସ୍ତାନ ଉପରେ ଆକ୍ରମଣ ପରେ ଆମେରିକାକୁ କ’ଣ କହିଲେ ଅଜିତ ଡୋଭାଲ ? ଚମକି ପଡ଼ିଲା ପାକ୍

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ। ଅଧ ରାତିରେ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱସ୍ତ କରିଛି ଭାରତୀୟ ସେନା। ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ର ମୁଜଫରାବାଦ, କୋଟଲି, ବାହାୱାଲପୁର ସମେତ ମୋଟ ୯ଟି ଆତଙ୍କବାଦୀ ଠିକଣାକୁ ଭାରତୀୟ ସେନା କରିଛି। ଏହି ଅପେରଶନର ନାଁ ଦିଆଯାଇଛି ‘ଅପରେସନ ସିନ୍ଦୂର’ । ଏହି ଆକ୍ରମଣ ପରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଆମେରିକାର ଏନଏସଏ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଫୋନରେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆମେରିକାସ୍ଥିତ ଭାରତୀୟ ଦୂତାବାସ ଏନେଇ କହିଛି ଯେ, ଭାରତର ଏହି ଆଟାକ୍ ସୁନିର୍ଦ୍ଦିଷ୍ଟ, ସଠିକ ଏବଂ ନିୟନ୍ତ୍ରିତ ରହିଛି। ଏହା ଆଟାକରେ କୌଣସି ପାକିସ୍ତାନୀ ନାଗରିକ, ଅର୍ଥନୈତିକ କିମ୍ବା ସାମରିକ ଶିବିରକୁ ଟାର୍ଗେଟ କରାଯାଇ ନାହିଁ। କେବଳ ଆତଙ୍କବାଦୀ ଶିବିରଗୁଡ଼ିକୁ ହିଁ ଟାର୍ଗେଟ କରାଯାଇଛି।

୭ ମେ ରାତି ପ୍ରାୟ ୧:୩୦ରେ ଭାରତୀୟ ବାୟୁସେନା ‘ଅପରେସନ ସିନ୍ଦୂର’ ଅଧୀନରେ ଏହି ଆକ୍ରମଣ କରିଥିଲା। ଏହି ସଠିକ ଏୟାରଷ୍ଟ୍ରାଇକ ଭାରତୀୟ ସୀମା ମଧ୍ୟରୁ କରାଯାଇଥିଲା, ଯେଉଁଥିରେ ପାକିସ୍ତାନୀ ସେନାର କୌଣସି ଶିବିରକୁ ଟାର୍ଗେଟ କରାଯାଇ ନଥିଲା। ଏହି ଅଭିଯାନର ଏକମାତ୍ର ଉଦ୍ଦେଶ୍ୟ ଥିଲା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା, ଯେଉଁଠାରୁ ଭାରତ ବିରୋଧରେ ହମଲାର ଯୋଜନା ହେଉଥିଲା।

‘ଅପରେସନ ସିନ୍ଦୂର’ର ପ୍ରଭାବ ଏବେ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ଏହି ସର୍ଜିକାଲ ଷ୍ଟ୍ରାଇକରେ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ କୁଖ୍ୟାତ ଆତଙ୍କବାଦୀ ଠିକଣାଗୁଡ଼ିକୁ ନିଶାନା କରିଛି। ଏଥିମଧ୍ୟରେ ବାହାୱାଲପୁରର ଜାମି ମସଜିଦ ସୁଭାନଅଲ୍ଲାହ, ଯାହା ଜୈଶ-ଏ-ମହମ୍ମଦର କଥିତ ମୁଖ୍ୟାଳୟ ଥିଲା, ସେହିପରି କୋଟଲିରେ ହିଜବୁଲ ମୁଜାହିଦ୍ଦିନର ତାଲିମ କେନ୍ଦ୍ର ମଧ୍ୟ ଧ୍ୱଂସ ହୋଇଛି। ଏହି ସ୍ଥାନଗୁଡ଼ିକ ବର୍ଷ ବର୍ଷ ଧରି ହାଫିଜ ସଇଦ ଏବଂ ମସୁଦ ଆଜହାର ଭଳି ବିଶ୍ୱବ୍ୟାପୀ ଆତଙ୍କବାଦୀମାନଙ୍କର ଗଡ଼ ରହିଆସିଛି।

ଏହି ଅଭିଯାନ ଭାରତର ସାମରିକ ଶକ୍ତି ସହ ସଂଯମ ଆଚରଣକୁ ପ୍ରଦର୍ଶନ କରିଛି। କୌଣସି ନାଗରିକ କିମ୍ବା ଅସାମରିକ ଶିବିରକୁ କ୍ଷତି ନ ପହଞ୍ଚାଇ କେବଳ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯାଇଛି। ଏହା ଭାରତର ଆତଙ୍କବାଦ ବିରୋଧୀ ନୀତିରେ ‘ଜିରୋ ଟଲେରାନ୍ସ’ ଏବଂ ଆନ୍ତର୍ଜାତୀୟ ନୀତି ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଅପରେସନ ପରେ ଭାରତ ଆମେରିକା ଭଳି ମିତ୍ର ରାଷ୍ଟ୍ରକୁ ଏହାର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରୀ ପଦ୍ଧତି ବିଷୟରେ ସୂଚନା ଦେଇଛି। ଏନଏସଏ ଡୋଭାଲଙ୍କ ଆମେରିକୀୟ ଅଧିକାରୀମାନଙ୍କ ସହ ଆଲୋଚନା ଏହାକୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱଚ୍ଛତା ଓ ସମର୍ଥନ ପାଇବାର ଏକ ପ୍ରୟାସ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ପାକିସ୍ତାନୀ ଗଣମାଧ୍ୟମରେ ଏହି ଅଭିଯାନକୁ ନେଇ ତୀବ୍ର ଚର୍ଚ୍ଚା ଚାଲିଛି। ଏହି ସର୍ଜିକାଲ ଷ୍ଟ୍ରାଇକ ପାକିସ୍ତାନ ପୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ, ଏହି ଅଭିଯାନ ପାକିସ୍ତାନର ଆତଙ୍କବାଦୀ ଭିତ୍ତିଭୂମିକୁ ଦୁର୍ବଳ କରିବ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ଉପରେ ଏକ ବଡ଼ ରୋକ ଲଗାଇବ।
ଏହି ଅପରେଶନର ଖବର ଏବେ ଦେଶବାସୀଙ୍କ ମଧ୍ୟରେ ଗର୍ବ ଓ ଉତ୍ସାହର ସଞ୍ଚାର କରିଛି। ସୋସିଆଲ ମିଡିଆରେ ଲୋକମାନେ ଭାରତୀୟ ବାୟୁସେନା ଏବଂ ସେନାର ସାହସିକତାକୁ ପ୍ରଶଂସା କରୁଛନ୍ତି।

‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନର ପ୍ରତିକ୍ରିୟା ଏବଂ ଆନ୍ତର୍ଜାତୀୟ ସମୁଦାୟର ମନୋଭାବ ଉପରେ ସମସ୍ତଙ୍କ ନଜର ରହିଛି। ଭାରତ ଏହି ଅଭିଯାନକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ସମର୍ଥନ ହାସଲ କରିବା ପାଇଁ କୂଟନୈତିକ ପ୍ରୟାସ ଜାରି ରଖିଛି। ଏହା ସହ, ଦେଶ ଭିତରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏହି ଘଟଣା ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇପାରେ। ତେଣୁ, ଆଗାମୀ ଦିନରେ ଏହି ଅଭିଯାନର ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରଭାବ ଉପରେ ସମଗ୍ର ବିଶ୍ୱର ନଜର ରହିଛି।

Comments are closed.