Latest Odisha News

BREAKING NEWS

ଆମେରିକାକୁ ଡାକ ସେବା ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ଆମେରିକା ସରକାରଙ୍କ ଦ୍ୱାରା ନୂତନ ଶୁଳ୍କ ନିୟମ ଘୋଷଣା କରାଯିବା ପରେ ଆମେରିକାକୁ ଡାକ ପୋଷ୍ଟ ମାଧ୍ୟମରେ ପଠାଯାଉଥିବା ସାମଗ୍ରୀକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ଭାରତ ନିଷ୍ପତ୍ତି ନେଇଛି।

୨୫ ଅଗଷ୍ଟରୁ ଅଧିକାଂଶ ସାମଗ୍ରୀ ଉପରେ ଏହା ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ୧୦୦ ଡଲାର ପର୍ଯ୍ୟନ୍ତ ଉପହାର ସାମଗ୍ରୀ ଏବଂ ଚିଠି କିମ୍ବା ଡକ୍ୟୁମେଣ୍ଟ ପୂର୍ବ ପରି ଗ୍ରହଣ କରାଯିବ। ୩୦ ଜୁଲାଇ ୨୦୨୫ରେ ଆମେରିକା ଏକ ନୂତନ ନିୟମ କାର୍ଯ୍ୟନିର୍ବାହୀ ଅର୍ଡର ନଂ ୧୪୩୨୪ ଜାରି କରିଥିଲା, ଯାହା ଅଧୀନରେ ୮୦୦ ଡଲାର ପର୍ଯ୍ୟନ୍ତ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କମୁକ୍ତ ଛାଡ଼କୁ ଉଚ୍ଛେଦ କରାଯାଇଛି। ତେବେ ଅଗଷ୍ଟ ୨୯ରୁ ଆମେରିକାକୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ କଷ୍ଟମ ଶୁଳ୍କ ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ଏହି ନୂତନ ନିୟମ ଅଧୀନରେ ପରିବହନ କମ୍ପାନୀ କିମ୍ବା US CBP ଦ୍ୱାରା ଅନୁମୋଦିତ ‘କ୍ୱାଲିଫାଏଡ୍ ପାର୍ଟିସ୍’କୁ ଡାକ ମାଧ୍ୟମରେ ପଠାଯାଉଥିବା ଜିନିଷ ଉପରେ ଶୁଳ୍କ ସଂଗ୍ରହ ଏବଂ ଜମା କରିବାକୁ ପଡିବ। ତେବେ ୧୫ ଅଗଷ୍ଟରେ ସିବିପି ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ କିଏ “କ୍ୱାଲିଫାଏଡ୍ ପାର୍ଟିସ୍” ହେବେ ଏବଂ ଶୁଳ୍କ ସଂଗ୍ରହର ବ୍ୟବସ୍ଥା କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। ଏହି ଅନିଶ୍ଚିତତା ମଧ୍ୟରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କେବଳ ୧୦୦ ଡଲାର ପର୍ଯ୍ୟନ୍ତ ଚିଠି, ଡକ୍ୟୁମେଣ୍ଟ ଏବଂ ଉପହାର ସାମଗ୍ରୀ ଆମେରିକା ପାଇଁ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି।

ଡାକ ବିଭାଗ CBP ଏବଂ ଯୁକ୍ତରାଷ୍ଟ୍ର ପୋର୍ଟାଲ ସେବା (USPS) ସହିତ ମିଳିତ ଭାବରେ ମିଶି ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଥିବା କୁହାଯାଇଛି। ତେବେ ଯେଉଁ ଗ୍ରାହକମାନେ ପୂର୍ବରୁ କିଛି ବୁକ୍ କରିଛନ୍ତି ସେମାନଙ୍କୁ ଡାକ ଖର୍ଚ୍ଚ ଫେରସ୍ତ କରାଯିବା ନେଇ ରିପୋର୍ଟରୁ ଜଣାପଡ଼ିଛି।

 

Comments are closed.