Latest Odisha News

କତାରରେ ଆଠ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ନ୍ୟାୟଗତ ଲଢ଼େଇ କରିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଆଠ ଜଣ ପୂର୍ବତନ କର୍ମଚାରୀଙ୍କୁ ଗୁପ୍ତଚର ଅଭିଯୋଗରେ କାତାରରେ ଫାଶୀ ଦଣ୍ଡାଦେଶ ନିଷ୍ପତ୍ତିକୁ ଭାରତ ନିନ୍ଦା କରିଛି। ଏପରିକି ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ନ୍ୟାୟିକ ସହାୟତା ଯୋଗାଇ ଦେବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ଏକଦା ପ୍ରମୁଖ ଭାରତୀୟ ଯୁଦ୍ଧ ଜାହାଜର ନେତୃତ୍ୱ ନେଉଥିବା ଅଧିକାରୀଙ୍କ ସମେତ ଏହି ବ୍ୟକ୍ତିମାନେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ, ଯିଏ କି କତାରର ସଶସ୍ତ୍ର ସେନାକୁ ପ୍ରଶିକ୍ଷଣ ଓ ଆନୁଷଙ୍ଗିକ ସେବା ଯୋଗାଇ ଆସୁଥିଲା। ଏହି ବ୍ୟକ୍ତିମାନଙ୍କୁ ୨୦୨୨ ଅଗଷ୍ଟରେ ଗିରଫ କରାଯାଇଥିଲା ଏବଂ ସେବେଠାରୁ ସେମାନେ ଜେଲରେ ଥିଲେ। ସେମାନଙ୍କ ଜାମିନ ଆବେଦନକୁ ଅନେକ ଥର ଖାରଜ କରାଯାଇଥିଲା ଏବଂ କତାର କର୍ତ୍ତୃପକ୍ଷଙ୍କ ଦ୍ୱାରା ସେମାନଙ୍କୁ ଅଟକ ରଖାଯାଇଥିଲା। ଅକ୍ଟୋବର ୨୬ରେ, କତାରର ପ୍ରଥମ ଦୃଷ୍ଟାନ୍ତ ଅଦାଲତ ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି।

ଭାରତ ସରକାର ଏହି ରାୟକୁ ନେଇ ଆଶ୍ଚର୍ୟ୍ୟ ପ୍ରକଟ କରିବା ସହ ଏହି ରାୟ ବିରୋଧରେ ଲଢ଼ିବେ ବୋଲି କହିଛନ୍ତି। ଏହା ସହିତ ସମସ୍ତଙ୍କୁ ସମସ୍ତ ପ୍ରକାର କନସୁଲାର ଓ ଆଇନଗତ ସହାୟତା ପ୍ରଦାନ ଜାରି ରହିବ ବୋଲି ସରକାର କହିଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ କ୍ୟାପଟେନ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଠ, କ୍ୟାପଟେନ୍ ଅମିତ ନାଗପାଲ୍, କ୍ୟାପଟେନ୍ ପୂର୍ଣ୍ଣେନ୍ଦୁ ତିଓ୍ୱାରୀ, ସୁଗୁଣାକର ପାକଲା, କ୍ୟାପଟେନ୍ ସଞ୍ଜୀବ ଗୁପ୍ତା ଏବଂ ନାବିକ ରାଗେଶ।

ଜଣେ ପୂର୍ବତନ ଅଧିକାରୀଙ୍କ ଭଉଣୀ ତାଙ୍କ ଭାଇଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନ୍ୟପଟେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏବେ ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଚାଲିଛି। ଭାରତ ଇସ୍ରାଏଲକୁ ସମର୍ଥନ କରୁଥିବାରୁ ଏହି ଇସଲାମିକ ଦେଶ ଭାରତକୁ ପରୋକ୍ଷରେ ନିଜର ଆଭିମୁଖ୍ୟ ଦେଖାଇବାକୁ ଯାଇ ଏଭଳି ଏକ ଦଣ୍ଡାଦେଶ ଦେଇଥାଇପାରେ ବୋଲି କୁହାଯାଉଛି।

Comments are closed.