Latest Odisha News

ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟିର ଆଗାମୀ ଅଧିବେଶନ ଆୟୋଜନ କରିବ ଭାରତ, ପ୍ରସ୍ତାବ ସପକ୍ଷରେ ନୀତା ଅମ୍ବାନିଙ୍କ ଦୃଢ଼ ଉପସ୍ଥାପନା

ମୁମ୍ବାଇ : ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟିର ଆଗାମୀ ବୈଠକ ମୁମ୍ବାଇର ‘ଜିଓ ଓ୍ବାର୍ଲଡ କନଭେନ୍‌ସନ ସେଣ୍ଟରରେ ଅନୁଷ୍ଠିତ ହେବ । ୨୦୨୩ରେ ହେବାକୁ ଥିବା ଏହି ବାର୍ଷିକ ବୈଠକ ଆୟୋଜନ ସ୍ଥଳକୁ ନେଇ ହୋଇଥିବା ମତଦାନରେ ଭାରତକୁ ବୈଧ ୭୬ ମତ ମଧ୍ୟରୁ ୭୫ ଜଣଙ୍କ ସମର୍ଥନ ମିଳିଛି । ବହୁମତ ହାସଲ ସହିତ ଏହି ଅଧିକାର ଜିତିବା ପରେ ଆଇଓସି ସଦସ୍ୟା ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ଏହା ଭାରତ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି ।

ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ବ ନେଇ ନୀତା ଅମ୍ବାନି ଆଇଓସିର ଆଗାମୀ ବୈଠକ ଭାରତରେ ଆୟୋଜନ କରିବା ନେଇ ଜୋର୍‌ଦାର ଦାବି ଉପସ୍ଥାପନ କରିଥିଲେ । ଆଇଓସି ସଦସ୍ୟବୃନ୍ଦଙ୍କୁ ସେ କହିଥିଲେ ଯେ, ‘ଭବିଷ୍ୟତରେ ଯୁବ ଅଲିମ୍ପିକ ଏବଂ ଅଲିମ୍ପିକ କ୍ରୀଡା ଭାରତକୁ ଆଣିବା ଆମର ସ୍ବପ୍ନ । ଆମେ ଚାହୁଁଛୁ ଯେ ବିଶ୍ବର ସବୁଠାରୁ ଯୁବରାଷ୍ଟ୍ର ଭାରତର ଯୁବପିଢି ଅଲିମ୍ପିକ୍ସର ଭବ୍ୟତା ଏବଂ ବିଶାଳତାକୁ ଅନୁଭବ କରନ୍ତୁ । ଆମେ ଏହି ପ୍ରୟାସକୁ ଆହୁରି ଅଧିକ ମଜଭୁତ କରିବାକୁ ଚାହୁଁଛୁ ।

ଆଇଓସିର ବାର୍ଷିକ ବୈଠକ ଆୟୋଜନ ସୁଯୋଗ ଭାରତକୁ ମିଳିବାରେ ଆନନ୍ଦ ପ୍ରକାଶ କରି ନୀତା ଅମ୍ବାନି କହିଛନ୍ତି, ‘ଅଲିମ୍ପିକ୍ସ ଅଭିଯାନ ୪୦ ବର୍ଷ ପ୍ରତୀକ୍ଷା ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରୁଛି । ୨୦୨୩ରେ ମୁମ୍ବାଇରେ ଆଇଓସିର ଅଧିବେଶନ ଆୟୋଜନ କରିବାର ସମ୍ମାନ ଭାରତକୁ ପ୍ରଦାନ କରିଥିବାରୁ ମୁଁ ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟି ନିକଟରେ କୃତଜ୍ଞ । ଏହା ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ କରାଇବ । ୨୦୨୩ ଅଲିମ୍ପିକ୍ସ ଅଧିବେଶନ ଅବସରରେ ବଞ୍ଚିତ ବର୍ଗର ଯୁବଗୋଷ୍ଠୀଙ୍କ ପାଇଁ ସ୍ବତନ୍ତ୍ର କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ ସମୂହର ଏକ ଶୃଙ୍ଖଳା ଆରମ୍ଭ କରିବାକୁ ମଧ୍ୟ ସେ ପ୍ରସ୍ତାବ ରଖିଥିଲେ ।

ଭାରତୀୟ ପ୍ରତିନିଧି ମଣ୍ଡଳୀରେ ନୀତା ଅମ୍ବାନି, ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ଡା. ନରିନ୍ଦର ବାତ୍ରା, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ବନ୍ଧୁକ ଚାଳନାରେ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ପ୍ରମୁଖ ସାମିଲ ଥିଲେ । ବେଜିଂରେ ଚାଲିଥିବା ଆଇଓସିର ବାର୍ଷିକ ଅଧିବେଶନରେ ଭାରତୀୟ ପ୍ରତିନିଧିମଣ୍ଡଳୀ ଭର୍ଚୁଆଲ ମାଧ୍ୟମରେ ଆଗାମୀ ବୈଠକ ଭାରତରେ ଆୟୋଜନ ସପକ୍ଷରେ ନିଜ ପ୍ରସ୍ତାବ ଉପସ୍ଥାପନା କରିଥିଲେ । ଭାରତରେ ଚାରି ଦଶନ୍ଧି ପରେ ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟିର ଅଧିବେଶନ ଆୟୋଜନ କରାଯିବ ।

ଏହା ପୂର୍ବରୁ ୧୯୮୩ରେ ଶେଷଥର ପାଇଁ ଭାରତରେ ଆଇଓସିର ଅଧିବେଶନ ଆୟୋଜିତ ହୋଇଥିଲା । ଆଇଓସି ଅଧିବେଶନରେ ଆଇଓସିର ସଦସ୍ୟଗଣ ଅଲିମ୍ପିକ୍ସ ଚାର୍ଟର ଏବଂ ଅଲିମ୍ପିକ ଆୟୋଜନକାରୀ ସହର ମନୋନୟନ ଆଦି ମହତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥାନ୍ତି ।

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ଡା. ନରିନ୍ଦର ବାତ୍ରା ଏକ ବିବୃତିରେ କହିଛନ୍ତି ଯେ, ନୀତା ଅମ୍ବାନିଙ୍କୁ ତାଙ୍କର ଦୃଷ୍ଟିକୋଣ ଏବଂ ନେତୃତ୍ବ ପାଇଁ ତଥା ମୋର ସମସ୍ତ ଆଇଓସି ସହଯୋଗୀଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଦେଉଛି । ଆସନ୍ତା ବର୍ଷ ମୁମ୍ବାଇରେ ଆପଣଙ୍କୁ ଅପେକ୍ଷା କରିବୁ । ଏହା ଭାରତର କ୍ରୀଡା ଜଗତ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ । ଆମେ ଚାହୁଁଛୁ ଯେ, ଅଲିମ୍ପିକ୍ସ ଆନ୍ଦୋଳନ ଆମର ଆଗାମୀ ପୀଢିର ଉଜ୍ବଳ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ କେନ୍ଦ୍ରୀୟ ଭୂମିକା ଗ୍ରହଣ କରୁ । ୨୦୨୩ରେ ମୁମ୍ବାଇକୁ ସ୍ମରଣୀୟ ଆଇଓସି ଅଧିବେଶନ ଆୟୋଜନ ସୁଯୋଗ ପ୍ରଦାନ ଭାରତର ନୂଆ କ୍ରୀଡା କ୍ଷମତାକୁ ପ୍ରଦର୍ଶିତ କରିବା ଦିଗରେ ପ୍ରଥମ ପଦକ୍ଷେପ ହେବ ।”

Comments are closed.