Latest Odisha News

ନଭେମ୍ବର ୨୦ରୁ ଗୋଆରେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ନଭେମ୍ବର ୨୦ରୁ ଗୋଆଠାରେ ବିଶ୍ୱ ଅଡିଓ ଭିଜୁଆଲ ଓ ମନୋରଞ୍ଜନ ଶିଖର ସମ୍ମିଳନୀର ପ୍ରଥମ ସଂସ୍କରଣ ରୂପେ ଏକ ଐତିହାସିକ କାର୍ଯ୍ୟକ୍ରମ ଆୟୋଜନ କରିବ ଭାରତ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିସହିତ ୱେଭ୍ସ ୨୦୨୪ (https://wavesindia.org/)ର ୱେବସାଇଟ୍ ଶୁଭାରମ୍ଭ କରିବା ସହ ଶିଖର ସମ୍ମିଳନୀର ପୁସ୍ତିକା ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବିକଶିତ ଏମ୍ ଆଣ୍ଡଇ ଶିଳ୍ପ କ୍ଷେତ୍ରରେ ଆଲୋଚନା, ବାଣିଜ୍ୟ ସହଯୋଗ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ୱେଭ୍ସ ଏକ ପ୍ରମୁଖ ମଞ୍ଚ ହେବାର ଲକ୍ଷ୍ୟ ରଖିଛି। ଏହି ଶିଖର ସମ୍ମିଳନୀରେ ସୁଯୋଗ ଖୋଜିବା, ଆହ୍ୱାନର ମୁକାବିଲା କରିବା, ଭାରତକୁ ବାଣିଜ୍ୟ ଆକୃଷ୍ଟ କରିବା ଏବଂ ଏହି କ୍ଷେତ୍ରର ଭବିଷ୍ୟତ କୁ ଆକାର ଦେବା ପାଇଁ ଶିଳ୍ପନେତା, ଅଂଶୀଦାର ଏବଂ ଉଦ୍ଭାବକମାନଙ୍କୁ ଡକାଯିବ । ଗତିଶୀଳ ଏମ ଆଣ୍ଡ ଇ ପରିଦୃଶ୍ୟରେ ଭାରତକୁ ଏକ ଅତୁଳନୀୟ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ କରିବା ଲକ୍ଷ୍ୟ ରେ ୱେଭ୍ସ ବିଶ୍ୱବ୍ୟାପୀ ସୃଜନଶୀଳତା, ଉଦ୍ଭାବନ ଏବଂ ପ୍ରଭାବର ନୂତନ ମାନଦଣ୍ଡ ସ୍ଥାପିତ କରିବ ।

ଏହି ଅବସରରେ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମ୍ ଆଣ୍ଡ ଇ) ଦୁନିଆ ଏକ ଢାଞ୍ଚାଗତ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ପ୍ରଚୁର ଜ୍ଞାନକୌଶଳ ପ୍ରୟୋଗ ଦେଖିଛି। ଗୋଟିଏ ପଟେ ଏହା ଅନେକ ସୁଯୋଗ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଏହି ପରିବର୍ତ୍ତନକୁ ବଜାୟ ରଖିବାରେ ସକ୍ଷମ ହୋଇନଥିବା କିଛି ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଚିନ୍ତା ମଧ୍ୟ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଆଜିର ସାର୍ବଜନୀନ ନୀତିର ଭୂମିକା ହେଉଛି ଏହି ଢାଞ୍ଚାଗତ ପରିବର୍ତ୍ତନରୁ ଶ୍ରେଷ୍ଠକୁ ଉପଯୋଗ କରିବାରେ ସକ୍ଷମ କରିବା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପରିବର୍ତ୍ତନର ମୁକାବିଲା କରିବାରେ ଗଣମାଧ୍ୟମ ଏବଂ ମନୋରଞ୍ଜନର ସମଗ୍ର ଇକୋସିଷ୍ଟମକୁ ସମର୍ଥନ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ।ଏହି ପ୍ରୟାସ ପାଇଁ ଏମ୍ ଆଣ୍ଡ ଇ ଶିଳ୍ପ, ଆର୍ଥିକ କ୍ଷେତ୍ର ଏବଂ ପ୍ରଯୁକ୍ତି ବିଦ୍ୟା ଜଗତ ମଧ୍ୟରେ ଘନିଷ୍ଠ ସମନ୍ୱିତ ପ୍ରୟାସ ଆବଶ୍ୟକ। ଏଥିପାଇଁ ସୁଚିନ୍ତିତ ନୀତିଗତ ପଦକ୍ଷେପର ଆବଶ୍ୟକତା ରହିଛି ଏବଂ ଆଗାମୀ ମାସ ମାନଙ୍କରେ ସରକାର ଓ ଶିଳ୍ପ ଏହି ଲକ୍ଷ୍ୟ ହାସଲ ଦିଗରେ ସେମାନଙ୍କ ପ୍ରୟାସକୁ ଏକାଠି କରିବେ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

 

Comments are closed.