ଭୁବନେଶ୍ୱର: ଏତେ ବର୍ଷ ଶାସନ ପରେ ବି ମଳିନ ପଡିନି ନବୀନଙ୍କ ଭାବମୂର୍ତ୍ତି । ଜନସମର୍ଥନ, ଭଲପାଇବା ତାଙ୍କ ପାଇଁ ବଢିଛି ସିନା କମିନି । ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଶ୍ରେଷ୍ଠ ମୁକୁଟ । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ପିନ୍ଧିଛନ୍ତି ଏହି ଶ୍ରେଷ୍ଠ ମୁକୁଟ । ପୁଣି ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମାନ୍ୟତା ପାଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ –ସି-ଭୋଟରେ ମୁଡ ଅଫ ନେସନ(ଏମଓଟିଏନ) ଜନମତରେ ଶୀର୍ଷସ୍ଥାନରେ ରହିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ୭୩.୨ ପ୍ରତିଶତ ଲୋକ ନବୀନଙ୍କୁ ସମର୍ଥନ କରିଛନ୍ତି ।
ନବୀନଙ୍କ ପରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ମିଳିଛି ୬୯.୨ ପ୍ରତିଶତ ଭୋଟ । ତୃତୀୟରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ହିମନ୍ତଙ୍କୁ ମିଳିଛି ୬୮.୨ ପ୍ରତିଶତ ଭୋଟ । ଏଠି କହିରଖିବୁ, ୨୦୨୧ ଏବଂ ୨୦୨୨ ଜନମତରେ ମଧ୍ୟ ନବୀନ ଶୀର୍ଷରେ ଥିଲେ । ୨୦୨୧ରେ ତାଙ୍କୁ ୫୧ ପ୍ରତିଶତ ସମର୍ଥନ ମିଳିଥିବାବେଳେ ଏବେ ଅର୍ଥାତ ୨୦୨୩ରେ ଏହା ବୃଦ୍ଧି ପାଇ ୭୩ .୨ରେ ପହଞ୍ଚିଛି ।
ଇଣ୍ଡିଆ ଟୁଡେର ଏହି ସର୍ଭେରେ ୧୦ ଜଣ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନାଁ ରହିଛି । ସେମାନେ ହେଲେ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉତ୍ତରାଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ପ୍ରମୁଖ ।
ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା । ଏହି ସର୍ଭେରେ ଓଡ଼ିଶାର ୨୪୩୭ ଜଣ ଲୋକଙ୍କ ଜନମତକୁ ସାମିଲ କରାଯାଇଥିବା ଜଣାଯାଇଛି ।
Comments are closed.